ଭୁବନେଶ୍ୱର: ଦେଶରେ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆରମ୍ଭ ହେବାକୁ ଯାଉଛି ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ (PM-VBRY) । ଏହି ରୋଜଗାର-ଭିତ୍ତିକ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ଜୁନ୍ ୧୯, ୨୦୨୬ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଜାତୀୟ ସ୍ତରୀୟ ଯୋଜନାର ଭବ୍ୟ ଶୁଭାରମ୍ଭ ହେବ । ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ନିଯୁକ୍ତିଦାତା ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସାରା ଦେଶରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ଓଡ଼ିଶାର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, ହିତାଧିକାରୀ ଏବଂ EPFO ଅଧିକାରୀମାନେ ସାମିଲ ହେବେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ମଧ୍ୟ ପ୍ରଦର୍ଶିତ ହେବ ।