କିଟ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର,୫ା୨: ମୁକ୍ତ ଉତ୍ସକୁ ବ୍ୟବହାର କରି ଗ୍ରନ୍ଥାଗାରିକ, ଛାତ୍ରଛାତ୍ରୀ, ପାଠକ ଏବଂ ଗବେଷକମାନେ ଲାଭବାନ ହୋଇପାରିବେ । ଗବେଷଣା କ୍ଷେତ୍ରରେ ମକ୍ତୁ ଉତ୍ସ ଅନେକ ମାତ୍ରାରେ ସହାୟକ ହେବ । ଏ ନେଇ କିଟ ବିଶ୍ୱବିଦ୍ୟାଳୟରେ ‘ଓପନ୍‌ ସୋର୍ସ ମୁଭ୍‌ମେଣ୍ଟ: ହ୍ୱାଟ୍ ନେକ୍ସଟ୍‌’ ବିଷୟ ବସ୍ତୁ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଯୋଗଦେଇ ଲାଇବ୍ରେରୀ ଜ୍ଞାନର ଭଣ୍ଡାର ଏବଂ ଏହା ଦେଶ ସଂସ୍କୃତିର ପ୍ରତୀକ ବୋଲି କହିଥିଲେ । ଲାଇବ୍ରେରୀ ସମଗ୍ର ବିଶ୍ୱରେ ଜ୍ଞାନ ବିସ୍ତାର କରିଥାଏ । କିଟ୍ ବିଶ୍ୱବିଦ୍ୟାଳରେ ଥିବା ମୁଖ୍ୟ ପାଠାଗାରର ଭିତ୍ତିଭୂମି ଓ ସେଠାରେ ପାଠକଙ୍କ ପାଇଁ ମିଳୁଥିବା ଅତ୍ୟାଧୁନିକ ସୁବିଧା ବିଷୟରେ କହିଥିଲେ । ସେହିପରି କଲ୍ୟାଣୀ ବିଶ୍ୱ ବିଦ୍ୟାଳୟ ଲାଇବ୍ରେରୀ ଆଣ୍ଡ ଇନଫରମେସନ୍ ସାଇନ୍ସର ମୁଖ୍ୟ ପ୍ରଫେସର ପାର୍ଥ ସାରଥୀ ମୁଖୋପାଧ୍ୟାୟ ଯୋଗଦେଇ ଆଧୁନିକ ଯୁଗରେ ଡିଜିଟାଲ ଲାଇବ୍ରେରୀ, ଡାଟା ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଗୁରୁତ୍ୱ ବିଷୟରେ କହିଥିଲେ । ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଆଣ୍ଡ ଇନଫରମେସନ୍ ସାଇନ୍ସର ମୁଖ୍ୟ ପ୍ରଫେସର ଭାସ୍କର ମୁଖାର୍ଜି ହ୍ୟାକିଂଠାରୁ ଆରମ୍ଭ କରି ପ୍ଲାଟଫର୍ମ ଇଞ୍ଜିନିୟରିଂରେ ମୁକ୍ତ ଉତ୍ସର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୌଲାନା ଆଜାଦ୍ ଜାତୀୟ ଊର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଆଣ୍ଡ ଇନଫରମେସନ୍‌ ସାଇନ୍ସର ମୁଖ୍ୟ ଡ. ଅଖତାର ପରଭେଜ୍‌, ମୁକ୍ତ ଉତ୍ସ ବ୍ୟବହାର କରି ଡାଟା ସଂଗ୍ରହ ପାଠ୍ୟ ବିଷୟବସ୍ତୁ କିପରି ପ୍ରସ୍ତୁତ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ଆଣ୍ଡ ଇନଫରମେସନ୍ ସାଇନ୍ସ ପିଜି ବିଭାଗର ମୁଖ୍ୟ ପ୍ରଫେସର ବୁଲୁ ମହାରଣା ଭବିଷ୍ୟତ ପାଇଁ ମୁକ୍ତ ଉତ୍ସର ପରିମାପ ଏବଂ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟ ମୁଖ୍ୟ ଲାଇବ୍ରେରୀର ନିର୍ଦ୍ଦେଶିକା ଡ. ବିଜୟଲକ୍ଷ୍ମୀ ରାଉତରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିନିୟର ଲାଇବ୍ରେରୀଆନ୍ ଡ. ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୫ଶହରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‍, ପାଠାଗାର ବିଶାରଦ ଓ ଗ୍ରନ୍ଥାଗାରିକ ଯୋଗ ଦେଇଥିଲେ ।