କିସରେ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ୱର,୧୫ ।୧୧: ସମଗ୍ର ବିଶ୍ୱ ଆକାଶ, ଜଳ, ବାୟୁ, ଅଗ୍ନି, ପୃଥିବୀ ଆଦି ପଞ୍ଚ ତତ୍ତ୍ୱ ଉପରେ ପର୍ଯ୍ୟବେସିତ। ଏହି ପଞ୍ଚତତ୍ତ୍ୱର ସୁରକ୍ଷା କରୁଛନ୍ତି ଜନଜାତିମାନେ। ବର୍ତ୍ତମାନ ସମୟରେ ଆମକୁ ପ୍ରକୃତି ସହ ବଞ୍ଚିବାକୁ ପଡ଼ିବ। ତେଣୁ ପ୍ରକୃତି ସହ ବଞ୍ଚିବାର ତରିକା ଜନଜାତିଙ୍କଠାରୁ ଶିଖିବା ଆବଶ୍ୟକ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି । ଆଜି କିସରେ ଜନଜାତୀୟ ଗୌରବ ଦିବସ ଏବଂ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମେଘୱାଲ କହିଲେ, ସ୍ୱାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଥିଲା। ଇଂରେଜମାନଙ୍କ ବିରୋଧରେ ଜନଜାତି ସମୁଦାୟକୁ ଜାଗ୍ରତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜନଜାତିମାନେ କେବେ ବି ନିଜକୁ ଛୋଟ ମନେକରିବା ଉଚିତ ନୁହେଁ। ସେମାନଙ୍କ ପାଇଁ ପ୍ରକୃତି, ଜଙ୍ଗଲ ଓ ଜଳ ଆଜି ସୁରକ୍ଷିତ। ଶିକ୍ଷା ଦୃଷ୍ଟିରୁ ଜନଜାତିଙ୍କ ହାର ଏବେ ବି ଜାତୀୟ ହାରଠାରୁ କମ। ଜନଜାତିମାନଙ୍କ ସବୁଠାରୁ ବଡ଼ ସଂଗଠନ ଜନଜାତିଙ୍କ ଶିକ୍ଷା ପାଇଁ ଚିନ୍ତା କରୁଥିବା ବେଳେ କିସ୍‍ ଏହାକୁ ବହୁ ପୂର୍ବରୁ କାର୍ଯ୍ୟରେ କରି ଦେଖାଇ ପାରିଛି ବୋଲି ସେ କହିଥିଲେ। ଏଥିପାଇଁ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଆଇନ, ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ତଥା ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କିସ୍‍ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ୨୦ ବର୍ଷ ବୟସରେ ବିର୍ସା ମୁଣ୍ଡା ଜନଜାତି ସଂପ୍ରଦାୟକୁ ଏକାଠି କରି କିପରି ବ୍ରିଟିଶ ବିରୋଧରେ ଲଢ଼ିଥିଲେ ତା ଉପରେ ସେ ଆଲୋକପାତ କରିଥିଲେ। ବିର୍ସା ମୁଣ୍ଡାଙ୍କ ସେବା ଓ ସଂସ୍କାରମୂଳକ କାର୍ଯ୍ୟ ପାଇଁ ଜନଜାତିମାନେ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ ବୋଲି ସେ କହିଥିଲେ। କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଉମା ନନ୍ଦୁରୀ କହିଲେ, କିସ୍‍ ଭଳି ଏକ ଜନଜାତି ଅନୁଷ୍ଠାନରେ ଆମେ ଜନଜାତୀୟ ଗୌରବ ଦିବସ ପାଳନ କରିପାରିଥିବାରୁ ଖୁବ୍‍ ଆନନ୍ଦିତ। ଏହି ଅବସରରେ କିସରେ କେନ୍ଦ୍ର ସଂସ୍କୃତି ବିଭାଗ ସହଯୋଗରେ ଜାତୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଆୟୋଜନ କରିବା ପାଇଁ ସେ କିସ୍‍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ଜ୍ଞାନ ଦ୍ୱାରା ସମସ୍ତେ ବଡ଼ ହୋଇଥାନ୍ତି। ମଣିଷ ମନ ଓ ଆତ୍ମା ସହିତ ଜ୍ଞାନ ଜଡ଼ିତ। ଜ୍ଞାନର ଉତ୍ସ ହେଉଛି ପ୍ରକୃତି। ପ୍ରକୃତି ସହ ଜନଜାତି ଜଡ଼ିତ। ଏହା ଜନଜାତିଙ୍କ ପାଇଁ ଏକ ସମ୍ମାନ। ବିର୍ସା ମୁଣ୍ଡାଙ୍କ ଆଦର୍ଶ ଅନୁସରଣ କଲେ କିସ୍‍ରୁ ମଧ୍ୟ ଅନେକ  ଜନଜାତି ଗୌରବ ସୃଷ୍ଟି ହୋଇପାରବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ କିସ୍‍ କୁଳସଚିବ ଡ. ପି. କେ. ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା କିସ୍‍ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଘୱାଲ୍‍ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ଚାଲିବ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଜନଜାତି କଳାକାରଙ୍କ ଦ୍ୱାରା କୁଭି, ଧରୁଆ, ଗଦଭା, ସାନ୍ତାଳୀ, ଦେଶିଆ, ଢେମସା ଓ ଲୋକଗୀତ ପରିବେଷଣ କରାଯାଇଥିଲା। ଆଜି ମଧ୍ୟ କିସ୍‍ର ସମସ୍ତ ସାଟେଲାଇଟ୍‍ ଶାଖାରେ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଛି।