‘ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ’ ଉନ୍ମୋଚିତ: ୫୦ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକାର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀସ୍ଥିତ ରଙ୍ଗଭବନ ଠାରେ ସ୍କୁଲ ଶିକ୍ଷାର ପ୍ରାରମ୍ଭିକ ସୋପାନ ପାଇଁ ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ) ୨୦୨୨କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ପରୀକ୍ଷାମୂଳକ ଭାବରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ(କେଭି)ରେ ବାଲବାଟିକାର ଶୁଭାରମ୍ଭ କରିଛନ୍ତି । ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘କାଶୀ- ତାମିଲ ସଙ୍ଗମମ୍‌’ ଉତ୍ସବ ଆୟୋଜନ ପାଇଁ ଏକ ୱେବସାଇଟର ଉନ୍ମୋଚନ କରିଛନ୍ତି । ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି (ଏନଇପି)ର ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଆଜି ଏକ ଐତିହାସିକ ଦିନ । ପ୍ରାରମ୍ଭିକ ସ୍ତର ପାଇଁ ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ଶିଶୁଙ୍କୁ ପ୍ରଥମ ୫ ବର୍ଷ ତଥା ବାଲବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବ । ଆଜିର ପଦକ୍ଷେପ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ ପାଇଁ ବଡ଼ ପଦକ୍ଷେପ । ଶୁଭାରମ୍ଭ ହୋଇଥିବା ଉପକ୍ରମ ଗୁଡ଼ିକ ଦେଶର ଯୁବବର୍ଗଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନଗତ ଏବଂ ଭାଷା ଦକ୍ଷତା ଗଠନ କରିବାରେ ସାହାଯ୍ୟ କରିବ । ସେ କହିଛନ୍ତି ପ୍ରଥମ ୫ ବର୍ଷ ମଧ୍ୟରେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ହେବା ନେଇ ଗବେଷକମାନେ ମତପୋଷଣ କରିଛନ୍ତି । ସ୍କୁଲ ଶିକ୍ଷା ପାଇଁ ଏନସିଏଫର ୪ଟି ସୋପାନ ରହିଛି ଯଥା ପ୍ରାରମ୍ଭିକ(ଫାଉଣ୍ଡେସନାଲ), ପ୍ରସ୍ତୁତିମୂଳକ(ପ୍ରିପାଟୋରୀ), ମଧ୍ୟମ(ମିଡିଲ) ଏବଂ ମାଧ୍ୟମିକ (ସେକେଣ୍ଡାରୀ) । ଏ ଦୃଷ୍ଟିରୁ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ଦିଗରେ ଏନସିଏଫର ଗୁରୁତ୍ୱପୂର୍ଣ୍ଣ ସୁପାରିସ । ପ୍ରାରମ୍ଭିକ ସୋପାନରେ ଖେଳ ଆଧାରିତ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଅଭିନବ ପ୍ରଯୁକ୍ତିବିଦ୍ୟା, ଗେମ୍ ଆଧାରିତ ଶିକ୍ଷା, ଶିକ୍ଷା ଦାନର ନୂଆଶୈଳୀର ମଡେଲ ଆଗକୁ ଆସିଛି । ଆମକୁ ଗେମ୍ ଆଧାରିତ ଅଭିନବ ବିଷୟବସ୍ତୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ । ଆସନ୍ତା ସରସ୍ୱତୀ ପୂଜା ସୁଦ୍ଧା ଏଥିପାଇଁ ପାଠ୍ୟକ୍ରମ ଏବଂ ପୁସ୍ତକ ପ୍ରସ୍ତୁତ କରାଯିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଦେଶର ଭବିଷ୍ୟତକୁ ରୂପ ଦେବାରେ ଗୁରୁତ୍ୱ ରଖୁଥିବା ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ଢାଞ୍ଚାକୁ ବିକଶିତ କରିବା ସବୁଠୁ ଆହ୍ୱାନପୂର୍ଣ୍ଣ ଥିଲା । ଏନସିଏଫକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ପାଇଁ ଏନସିଆଇଆରଟି ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ମାନବତାର ଦାୟିତ୍ୱ ନେବା ପାଇଁ ବୈଶ୍ୱିକ ନାଗରିକଙ୍କୁ ପ୍ରସ୍ତୁତ କରିବା ଦିଗରେ ଏହା ଏକ ପଥ ପ୍ରଦର୍ଶକ ହେବ ବୋଲି ସେ କହିଛନ୍ତି । ସେହିପରି ୩ରୁ ୫ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାମୂଳକ ଭାବରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଆରମ୍ଭ କରାଯାଇଛି । ଆଗାମୀ ଶିକ୍ଷା ବର୍ଷରେ ବାଲବାଟିକା ଦେଶର ସମସ୍ତ ସିବିଏସଇ ସ୍କୁଲରେ କାର୍ଯ୍ୟକାରୀ କରାଯିବ । ଏହାସହ ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକରେ ବାଲବାଟିକୁ କାର୍ଯ୍ୟକାରୀ କରିବା ପାଇଁ ବିଚାରବିମର୍ଷ କରାଯିବ । ଆସନ୍ତା କିଛିବର୍ଷ ମଧ୍ୟରେ ଶତପ୍ରତିଶତ ୩ବର୍ଷ ବୟସ ଶିଶୁଙ୍କୁ ସ୍କୁଲ ଶିକ୍ଷାରେ ଆଣିବାକୁ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ନ୍ୟାସନାଲ ଷ୍ଟିଅରିଂ କମିଟିର ଚେୟାରପର୍ସନ ଡା.କେ କସ୍ତୁରିରଙ୍ଗନଙ୍କ ମାର୍ଗଦର୍ଶନରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରାଯାଇଛି । ଏହାସହ ଭାରତର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରିବା ଦିଗରେ ଆମେ ଅଗ୍ରସର । ଗତକାଲି ନ୍ୟାସନାଲ କ୍ରେଡିଟ୍ ଫ୍ରେମୱାର୍କ ପାଇଁ ଜନ ପରାମର୍ଶ ଲୋଡାଯାଇଛି ଏବଂ ଆଜି ଆରମ୍ଭ ହୋଇଥିବା ପଦକ୍ଷେପ ଗୁଡ଼ିକ ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖ ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମର ସାମୂହିକ ଉଦ୍ୟମକୁ ପ୍ରତିଫଳିତ କରୁଛି ।
ଅନ୍ୟ ଏକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘କାଶୀ- ତାମିଲ ସଙ୍ଗମମ’ ପ୍ରତିଯୋଗୀଙ୍କୁ ପଞ୍ଜିକରଣ କରିବା ପାଇଁ ଏକ ୱେବସାଇଟର ଉନ୍ମୋଚନ କରିଛନ୍ତି । ତାମିଲ କାର୍ତ୍ତିକ ମାସର ଅବସରରେ ନଭେମ୍ବର ୧୬ରୁ ଡ଼ିସେମ୍ବର ୧୬ ମଧ୍ୟରେ ପ୍ରାୟ ଏକ ମାସ ବ୍ୟାପୀ ‘କାଶୀ-ତାମିଲ ସଙ୍ଗମମ୍‌’ ଭାବରେ ଏକ ଉତ୍ସବ ଆୟୋଜନ କରାଯିବ । ଏହି ପର୍ବ ତାମିଲନାଡ଼ୁ ଏବଂ କାଶୀ ମଧ୍ୟରେ ପ୍ରାଚୀନ ସଭ୍ୟତାକୁ ପୁନଃ ଉଜାଗର କରିବ ।