ନୂଆଦିଲ୍ଲୀ: ପୁଣି ଥରେ ଚନ୍ଦ୍ରକୁ ଯିବା ପାଇଁ ମଣିଷର ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆମେରିକୀୟ ମହାକାଶ ସଂସ୍ଥା (NASA) ପକ୍ଷରୁ ବହୁ ପ୍ରତିକ୍ଷିତ ‘ଆର୍ଟେମିସ୍-୨’ (Artemis II) ମିଶନର ସଫଳ ଲଞ୍ଚ୍ କରାଯାଇଛି। ୧୯୭୨ ମସିହାରେ ‘ଆପୋଲୋ-୧୭’ ପରେ ଏହା ଚନ୍ଦ୍ର ଅଭିମୁଖେ ବିଶ୍ୱର ପ୍ରଥମ ସଶରୀର (Crewed) ମିଶନ। ଏହି ଐତିହାସିକ ଯାତ୍ରାରେ ଚାରିଜଣ ମହାକାଶଚାରୀ ସାମିଲ ଅଛନ୍ତି, ଯେଉଁଥିରେ ଜଣେ ମହିଳା ଓ ତିନିଜଣ ପୁରୁଷ ସଦସ୍ୟ ରହିଛନ୍ତି। ଏହି ଦଳରେ କମାଣ୍ଡର ରିଡ୍ ୱାଇଜମ୍ୟାନ୍, ପାଇଲଟ୍ ଭିକ୍ଟର ଗ୍ଲୋଭର, ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ୍ ଅଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମିଶନରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ପରିକ୍ରମା କରି ପ୍ରାୟ ୧୦ ଦିନ ପରେ ପୃଥିବୀକୁ ଫେରିଆସିବେ। ଏହା ଭବିଷ୍ୟତରେ ମଣିଷର ଚନ୍ଦ୍ର ଅବତରଣ ପାଇଁ ମାର୍ଗ ପ୍ରଶସ୍ତ କରିବ। ଭାରତୀୟ ସମୟ ଏପ୍ରିଲ ୨ ତାରିଖ ଭୋର ୩:୫୪ (EDT ସମୟ ଏପ୍ରିଲ ୧ ସନ୍ଧ୍ୟା ୬:୨୪)ରେ ଏହି ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏଥିପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍ ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍’ (SLS) ଏବଂ ‘ଓରାଅନ୍’ (Orion) ସ୍ପେସକ୍ରାଫ୍ଟର ବ୍ୟବହାର କରାଯାଇଛି। ଚନ୍ଦ୍ରରେ ଦୀର୍ଘକାଳୀନ ମାନବ ଉପସ୍ଥିତି ଏବଂ ବିଜ୍ଞାନ ଓ ଅନୁସନ୍ଧାନ କ୍ଷେତ୍ରରେ ନୂତନ ସଫଳତା ହାସଲ କରିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ।