ଚନ୍ଦ୍ର ଅଭିମୁଖେ ନାସାର ଅର୍ଟେମିସ୍‌-୧ ପ୍ରକ୍ଷେପିତ

ଫ୍ଲୋରିଡା: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଚନ୍ଦ୍ରପୃଷ୍ଠ ଅଭିମୁଖେ ‘ଅର୍ଟେମିସ୍‌-୧’ ରକେଟ୍ ବୁଧବାର ପ୍ରକ୍ଷେପିତ ହୋଇଛି । ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ସବୁ ରକେଟ୍ ତୁଳନାରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ନାସା ପକ୍ଷରୁ କୁହାଯାଇଛି । ବୁଧବାର ସକାଳ ୧୧ଟା ୩୦ ମିନିଟ ସମୟରେ ଫ୍ଲୋରିଡାସ୍ଥିତ ଜେନେଡି ସ୍ପେସ୍ ସେଣ୍ଟରରୁ ଉକ୍ତ ରକେଟ୍ ପ୍ରକ୍ଷେପଣ କରାଯାଇଛି । ୩୨ ମହଲା ଉଚ୍ଚତା ବିଶିଷ୍ଟ ଉକ୍ତ ରକେଟ୍‌ର ଉପରିଭାଗରେ ‘ଓରିଅନ୍‌’ ମହାକାଶଯାନକୁ ଖଞ୍ଜାଯାଇଛି । ପୃଥିବୀ କକ୍ଷପଥ ପରିକ୍ରମା କରିବାପରେ ‘ଓରିଅନ୍‌’ ଏହି ରକେଟ୍‌ରୁ ବିଚ୍ଛିନ୍ନ ହୋଇଯିବ । ଚଳିତବର୍ଷ ଡିସେମ୍ବର ୧୧ରେ ଏହା ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଯଦି ‘ଅର୍ଟେମ-୧’ର ଯାତ୍ରା ସଫଳ ହୁଏ, ତେବେ ୨୦୨୪ରେ ମହାକାଶଚାରୀଙ୍କ ସହ ଅର୍ଟେମିସ୍‌-୨କୁ ଚନ୍ଦ୍ରପୃଷ୍ଠକୁ ପଠାଯିବ ବୋଲି ନାସା କର୍ତ୍ତୃପକ୍ଷ କହଛନ୍ତି । ସୂଚନାଯୋଗ୍ୟ ୧୯୭୨ ପରଠାରୁ ନାସା ଚନ୍ଦ୍ରପୃଷ୍ଠକୁ ମହାକାଶଯାନ ପଠାଇବା ବନ୍ଦ କରିଦେଇଥିଲା । ଏଥର ମଙ୍ଗଳ ଅଭିଯାନକୁ ସାକାର କରିବାକୁ ଚନ୍ଦ୍ରପୃଷ୍ଠରେ ଏକ ସ୍ଥାୟୀ ସ୍ପେସ୍ ଷ୍ଟେସନର ଆବଶ୍ୟକତା ପଡୁଥିବାରୁ ନାସା ପୁଣି ଥରେ ଚନ୍ଦ୍ର ଆଡକୁ ମୁହଁ ଫେରାଇଛି । ପୂର୍ବରୁ ନାସା ପକ୍ଷରୁ ଅର୍ଟେମିସ୍‌-୧ ପ୍ରକ୍ଷେପଣ ପାଇଁ ଦୁଇ ଦୁଇଥର ଉଦ୍ୟମ କରାଯାଇଥିଲେ ସୁଦ୍ଧା ଯାନ୍ତ୍ରିକ କାରଣରୁ ଶେଷ ମୂହୁର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା ।