ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଲେ ନରସିଂହ ମିଶ୍ର !

ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ନରସିଂହ ମିଶ୍ର । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନରସିଂହ ପଚରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭ୍ରାନ୍ତିକର ତଥ୍ୟ ରହିଛି ଓ କୋର୍ଟ ମନିଟର୍ଡ ତଦନ୍ତ କରାଯିବା କଥା କହାଯାଇଛି । ମାତ୍ର ଏହି ତଥ୍ୟ ଠିକ ନୁହେଁ ବୋଲି ସେ ଦାବି କରିଛନ୍ତି ।

ନରସିଂହ କହିଛନ୍ତି ଯେ, ଅବସରପ୍ରାପ୍ତ ବିଚାରପତି ଜେ ପି ଦାସଙ୍କ ନିଯୁକ୍ତି ଏକ ଜୁଡ଼ିସିଆଲ ଅର୍ଡର ଦ୍ୱାରା ହୋଇନାହିଁ, କିନ୍ତୁ ଉତ୍ତର ପ୍ରଦେଶର ଖେରୀ ଘଟଣାକୁ ପ୍ରିସିଡେନ୍ସ ଭାବେ ନିଆଯାଇଛି । ଖେରୀ ଘଟଣାରେ ଉଠାଇ ବର୍ଷିଲେ ନରସିଂହ ମିଶ୍ର । ନବ ଦାସ ହତ୍ୟା ଘଟଣାରେ କ’ଣ ଷଡ଼ଯନ୍ତ୍ର ହୋଇଛି ପ୍ରଶ୍ନର ଉତ୍ତରରେ ତ ଷଡ଼ଯନ୍ତ୍ର କଥା କୁହାଯାଇଛି କିନ୍ତୁ ହତ୍ୟା ଘଟଣାରେ କାହାକୁ ସନ୍ଦେହ କରାଯାଉଛି, ସେ ନେଇ ଉତ୍ତରରେ କିଛି ସ୍ପଷ୍ଟ କରାଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ନରସିଂହ ।

ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାକୁ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ନୋଟିସ୍ ସ୍ୱତନ୍ତ୍ର ସ୍ୱାଧିକାର କମିଟିକୁ ପଠାଯାଉ ଏବଂ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ନରସିଂହ ଦାବି କରିଛନ୍ତି । ସେପଟେ ନରସିଂହ ଆଣିଥିବା ଏହି ସ୍ୱାଧିକାର ଭଙ୍ଗ ନୋଟିସ ବାଚସ୍ପତି ପାଇଛନ୍ତି ଏବଂ ତାକୁ ଅନୁଧ୍ୟାନ କରାଯାଉଛି ବୋଲି ବାଚସ୍ପତି କହିଛନ୍ତି ।