ବାଗେଶ୍ୱର ବାବାଙ୍କୁ ନାଗପୁର ପୋଲିସର କ୍ଲିନ ଚିଟ୍

ଚର୍ଚ୍ଚିତ ସନାତନୀ ଧର୍ମ ଗୁରୁ ବାଗେଶ୍ଵର ମହାରାଜ ଓରଫ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନାଗପୁର କୋର୍ଟରୁ ମିଳିଛି କ୍ଲିନ ଚିଟ I ଅନ୍ଧବିଶ୍ୱାସ ପ୍ରସାର କରୁଥିବା ମାମଲାରେ ବିବାଦ ଘେରରେ ଥିଲେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ I ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତି ତାଙ୍କ ବିରୋଧରେ ନାଗପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ କୁହାଯାଇଛି ଯେ ବାବା ଅନ୍ଧବିଶ୍ୱାସ ବିସ୍ତାର କରୁଛନ୍ତି। ଶ୍ୟାମ ମାନବ ଙ୍କ ଅଭିଯୋଗ ଉପରେ ନାଗପୁର ପୋଲିସ ଯେଉଁ ଭିଡିଓ ମାଧ୍ୟମରେ ବାବାଙ୍କୁ ଅନ୍ଧବିଶ୍ୱାସ ବ୍ୟାପିଥିବାର ଅଭିଯୋଗ ହୋଇଛି ତାହାର ତଦନ୍ତ କରିଛି। ଅନୁସନ୍ଧାନ ବେଳେ ନାଗପୁର ପୋଲିସ କହିଛି ଯେ ଭିଡିଓରେ କୌଣସି ଅନ୍ଧବିଶ୍ୱାସ ପ୍ରସାର କରୁଥିବାର ପ୍ରମାଣ ମଳିନାହିଁ । ଏନେଇ ପୋଲିସ ପକ୍ଷରୁ ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିକୁ ଲିଖିତ ଆକାରରେ ଜବାବ ପଠାଇଛି ।ସେହିପରି ଭିଡିଓର ଅଧିକାଂଶ ଅଂଶ ନାଗପୁର ବାହାରେ ଥିଲା I ବାବା ନାଗପୁରରେ କିଛି କହି ନ ଥିଲେ ଯାହା ଅନ୍ଧବିଶ୍ୱାସ ବିସ୍ତାର କରିବ I କ୍ଲିନ୍ ଚିଟ୍ ପାଇବା ପରେ ବାଗେଶ୍ୱର ମହାରାଜ କହିଛନ୍ତି ଯେ ସନାତନ ଧର୍ମ ଅନ୍ଧବିଶ୍ୱାସ ନୁହେଁ I

ସୂଚନା ଥାଉକି ବାବା ଧୀରେନ୍ଦ୍ର ଶାସ୍ତ୍ରୀ ନାଗପୁରରେ ରାମକଥାର ଆୟୋଜନ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମ ସରିବାର ୨ଦିନ ଆଗରୁ ଏହାକୁ ସମାପ୍ତ କରାଯାଇଥିଲା । ଏହାପରେ ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଳନ ସମିତି ତରଫରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନାମରେ ଅଭିଯୋଗ କରାଯାଇଥିଲା । ସମିତି ତରଫରୁ କୁହାଯାଇଥିଲା କି, ବାବା ଧୀରେନ୍ଦ୍ର ଶାସ୍ତ୍ରୀ ସମାଜରେ ଅନ୍ଧବିଶ୍ୱାସର ପ୍ରସାରଣ କରୁଛନ୍ତି ।

ସେପଟେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ସନ୍ଥ ସମାଜ ଏବେ ଦୁଇଭାଗ ହୋଇଛି । ଗୋଟିଏ ଗୋଷ୍ଠୀ କହିଛନ୍ତି କି, ଧୀରେନ୍ଦ୍ର ଶାସ୍ତ୍ରୀ ଚମକ୍ରାର କରୁଛନ୍ତି ତ ଅନ୍ୟ ଗୋଷ୍ଠୀଟି ଏହାକୁ ପାଖଣ୍ଡି ବୋଲି କହିଛନ୍ତି । ଅଯୋଧ୍ୟା ସନ୍ଥ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସମର୍ଥନ କରୁଥିବା ବେଳେ ଜ୍ୟୋତିଷ ପୀଠର ଶଂକରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଓ ବୃନ୍ଦାବନର ପ୍ରେମାନନ୍ଦ ମହାରାଜ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ।