ମୋ ଆଣ୍ଠୁରେ ଆଘାତ ଲାଗିଛି:ଖଡ଼ଗେ

ନୂଆଦିଲ୍ଲୀ: ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦ ଏଣ୍ଟ୍ରି ଗେଟରେ ଆଜି କିଛି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି।ତେବେ ଏହାରି ଭିତରେ ରାଜ୍ୟସଭା ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପାଲଟା ଅଭିଯୋଗ ଆଣିଛନ୍ତି । ବିଜେପି ସାଂସଦଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣି ସେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ମକର ଦ୍ୱାର ନିକଟରେ ବିଜେପି ସାଂସଦମାନେ ଠେଲାପେଲା କରିଥିଲେ । ବିଜେପି ସାଂସଦ ଠେଲି ଦେବାରୁ ମୁଁ ତଳେ ପଡ଼ିଯାଇ ଆହତ ହୋଇଛି ।  ଅସ୍ତ୍ରୋପଚାର ହୋଇଥିବା ଆଣ୍ଠୁରେ ଗୁରୁତର ଆଘାତ ଲାଗିଛି ବୋଲି ଖଡ଼ଗେ ଉକ୍ତ ଚିଠିରେ ଉଲ୍ଲେଖ କରି ପୂରା ଘଟଣାର ତଦନ୍ତ କରାଯିବାକୁ ଦାବି କରିଛନ୍ତି ।  ପ୍ରକାଶ ଯେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ହୋଇଥିଲା ଠେଲାପେଲା। ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲିଥିଲେ । ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।  ଏନେଇ ସାଂସଦ ଷଡଙ୍ଗୀ କହିଛନ୍ତି, ମୁଁ ଶିଡ଼ିରେ ଛିଡ଼ା ହୋଇଥିଲି। ଉକ୍ତ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଥମେ ଜଣେ ସାଂସଦଙ୍କୁ ଠେଲିଦେଲେ। ଉକ୍ତ ସାଂସଦଜଣକ ମୋ’ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଯାଇଥିଲି।