ମଝି ସମୁଦ୍ରରେ ବୁଡ଼ିଗଲା ‘ଏମ୍‌ଭି ଓସିଆନ୍ ୱିନର୍’: ୨ ଉଦ୍ଧାର, ୨୨ ନିଖୋଜ

ଭୁବନେଶ୍ବର: ପାରାଦ୍ବୀପ ବନ୍ଦରରୁ ଚୀନ୍‌ର ଡାଲିଆନ୍ ବନ୍ଦର ଅଭିମୁଖେ ଯାଉଥିବା ପାନାମା ପତାକାଧାରୀ ବିଶାଳ ମାଲବାହୀ ଜାହାଜ ‘ଏମ୍‌ଭି ଓସିଆନ୍ ୱିନର୍’ (MV Ocean Winner) ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଓଡ଼ିଶା ଉପକୂଳରୁ ପ୍ରାୟ ୨୫୦ ନଟିକାଲ ମାଇଲ ଦୂର ବଙ୍ଗୋପସାଗରରେ ଜାହାଜଟି ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ, ପୋର୍ଟ ବ୍ଲେୟାର ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇବା ପରେ ଭାରତୀୟ ସାମୁଦ୍ରିକ କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀ (ICG) ଏବଂ ନୌସେନା ପକ୍ଷରୁ ବ୍ୟାପକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ କହିଛନ୍ତି, “ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ମିଳିତ ଭାବେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ନିଖୋଜ ଅଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ୩ଟି ଜାହାଜକୁ ଏହି ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।”

'MV Ocean Winner' sinks in mid-sea: 2 rescued