ଭୁବନେଶ୍ବର: ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଅଞ୍ଚଳର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲା ଉପରୁ ପରଦା ହଟାଇଛି ପୋଲିସ। ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତ ବ୍ୟବସାୟୀଙ୍କ ନିଜ ଝିଆରୀ ବୋଲି ଜଣାପଡ଼ିଛି। ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଝିଆରୀ, ପୁତୁରା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ମୋଟ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତକାଲି ଜଙ୍ଗଲରୁ ସୁଧୀରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିଜ ଝିଆରୀ ନିବେଦିତା ପାତ୍ର ଏହି ହତ୍ୟାକାଣ୍ଡର ମୁଖ୍ୟ ଯୋଜନାକାରୀ ଥିଲେ। ଅଭିଯୁକ୍ତଙ୍କ ନିକଟରୁ ଅପହରଣରେ ବ୍ୟବହୃତ ମାଉଜର ସମେତ ୧୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି, ଯେଉଁମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୃତ ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ବୟଫ୍ରେଣ୍ଡ୍ କାଳିଆ ଓରଫ କାଳୁ ଚରଣ ପ୍ରଧାନ, କାଳୁର ସହଯୋଗୀ ହିଞ୍ଜିଳିକାଟୁ ରାଳବ ଅଞ୍ଚଳର ଜିତୁନୁ ପଲେଇ, ବୁଗୁଡ଼ା ଥାନା ରାମଣ୍ଡା ଅଞ୍ଚଳର କମଳ ଓରଫ ନାରାୟଣ ପ୍ରଧାନ, ବୁଗୁଡ଼ା ଥାନା ବି.ବ୍ରହ୍ମପୁର ଅଞ୍ଚଳର ଟୁଲୁ ଓରଫ ଆଶିଷ ମହାପାତ୍ର, ହିଞ୍ଜିଳିକାଟୁ ଖରିଡା ଗ୍ରାମର ଶୁଭମ୍ ନାୟକ, ହିଞ୍ଜିଳିକାଟୁ ସାରୁ ଅଞ୍ଚଳର ଶୁଭମ୍ ଗୈଡ, ସୁରତ ଅଞ୍ଚଳର ଗୋଲୁ ଓରଫ୍ ଲମ୍ବୁ ଓରଫ ସୂର୍ଯ୍ୟ ପ୍ରତାପ ସିଂ ।