ରାୟଗଡା: ଇନ୍ଦିରା ନଗର ଅଞ୍ଚଳରୁ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ, ଆଜି ତାଙ୍କର ଗୁଳିବିଦ୍ଧ ମୃତଦେହ ତୁମ୍ବିଗୁଡା ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ମିଳିଥିବା ଖବର ଅନୁସାରେ, ଶନିବାର ରାତିରେ କିଛି ଦୁର୍ବୃତ୍ତ ଇନ୍ଦିରା ନଗରରେ ଆତଙ୍କ ଖେଳାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଫୁଟାଇଥିଲେ ଓ ପରେ ଯୁବକଙ୍କୁ ଜୋରଜବରଦସ୍ତି ଗାଡ଼ିରେ ବସାଇ ନେଇଯାଇଥିଲେ। ରାତି ପ୍ରାୟ ୧୨ଟା ୫୦ ମିନିଟ୍ ସମୟରେ ଯୁବକଙ୍କ ମା’ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ତିନୋଟି ଟିମ୍ ଗଠନ କରି ଖୋଜାଖୋଜି ଆରମ୍ଭ କରିଥିଲା। କିନ୍ତୁ ରବିବାର ସକାଳେ ତୁମ୍ବିଗୁଡା ଅଞ୍ଚଳରୁ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହେବା ପରେ ଘଟଣା ଆହୁରି ଗମ୍ଭୀର ରୂପ ନେଇଛି। ରାୟଗଡା ଏସପି ସ୍ୱାତି ଏସ୍ କୁମାର କହିଛନ୍ତି ଯେ, ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଓ ତାଙ୍କୁ ଧରିବା ପାଇଁ ଚାରିଟି ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ଅନ୍ୟପଟେ ମୃତ ଯୁବକଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ଅପହରଣ ପରେ ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ଗୁଳି କରି ହତ୍ୟା କରାଯାଇଛି।