ପୌର ଫଳାଫଳ : ବିଜେଡି ଗଡ଼ ରେ ଫୁଟିଲା ପଦ୍ମ

ସରିଛି ପୌର ନିର୍ବାଚନ ଗଣତି I ପଂଚାୟତ ଭଳି ପୌର ଜନାଦେଶ ମଧ୍ୟ ବିଜେଡି ସପକ୍ଷରେ ଯାଇଛି I ତେବେ ଦୁଇ ଦୁଇ ଟି ନିର୍ବାଚନ ରେ ବିଜେଡି କ୍ଲିନ ସ୍ୱିପ କରିଥିଲେ ବି ବିଜେଡି ର ବଡ଼ ମୁଣ୍ଡି ମାନେ ନିଜ ନିଜ ଗଡ଼ ରକ୍ଷା କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି I ଦଳୀୟ କନ୍ଦଳ ହେଇଥାଉ ଅବା ନେତାମାନଙ୍କ ର କଳା କାରନାମା କୁ ନେଇ ସ୍ଥାନୀୟ ଅଂଚଳରେ ପ୍ରତ୍ୟାଖ୍ୟାତ ହେଇଛନ୍ତି ପ୍ରାର୍ଥୀ I ଫଳରେ ନିଜ ଗଡ଼ରେ ଶଙ୍ଖ ଶବ୍ଦ ବଦଳରେ ପଦ୍ମ ଫୁଟି ଥିବା ର ଦେଖିବାକୁ ମିଳିଛି I

ସେହିଭଳି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଏଥର ଫୁଟିଛି ପଦ୍ମ। ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କ ଠାରୁ ୧୦୬୪ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି ମୁକେଶ। ମୋଟ ୧୨ କାଉନସିଲ ମଧ୍ୟରୁ ୧୦ଟି ବିଜେଡି ଖାତାକୁ ଯାଇଥିବା ବେଳେ,ବିଜେପି ୨ଟି ଆସନ ପାଇଛି। ତେବେ ଅଧ୍ୟକ୍ଷ ଆସନ ହାତେଇ ବିଜେପି ଜୁନାଗଡ଼ରେ ନିଜ ସ୍ଥିତି ସୁଦୃଢ କରିଛି। ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଜୁନାଗଡ଼ ବିକାଶ ପାଇଁ ଉଦ୍ୟମ ଜାରି ରହିବ ବୋଲି ନିଜ ପ୍ରତିକ୍ରୟାରେ କହିଛନ୍ତି ମୁକେଶ।

ସେ ଆହୁରି କହିଛନ୍ତି ,ଆଜି ଏ ବିଜୟ ହେଉଛି ଜୁନାଗଡ଼ବାସୀଙ୍କର। ଏଠାକାର ମା ଓ ଭଉଣୀଙ୍କର ଏହି ବିଜୟ। ମୋର ବିଜୟକୁ ସେମାନଙ୍କ ନିକଟରେ ସମର୍ପିତ କରୁଛି। ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି। ଆଗମୀ ଦିନରେ ଲୋକେ କିଭଳି ନ୍ୟାୟ ପାଇବେ,ଲୋକମାନଙ୍କର କେମିତି ଉନ୍ନତି ହେବ ଓ ସେମାନଙ୍କୁ ସୁବିଧା ସୁଯୋଗ ମିଳିବ, ସେଦିଗରେ ମୁଁ ପଦକ୍ଷେପ ନେବି।

ସେହିଭଳି ପଶ୍ଚିମ ଓଡିଶାରେ ବିଜେଡି ବିପୁଳ ବିଜୟ ପାଇଥିଲେ ବି ନିରାଶ କରିଛନ୍ତି ବିଜେଡିର ହେଭିୱେଟ ନେତା ତଥା ମନ୍ତ୍ରୀ । ମନ୍ତ୍ରୀ ନବଦାସ, ସୁଶାନ୍ତ ସିଂହ, ଟୁକୁନୀ ସାହୁ ଓ ଦିବ୍ୟଶଙ୍କର ମିଶ୍ର ।
ବହୁବର୍ଷ ଧରି ଝାରୁସୁଗୁଡା ଜିଲ୍ଲାରେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଉଭା ହୋଇଥିବା ମନ୍ତ୍ରୀ ନବ ଦାସଙ୍କୁ ବଡ ଝଟକା ଲାଗିଛି । ବେଲପାହାଡରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ସେ ଅସମର୍ଥ ହୋଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି ।

– ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ । ବରପାଲି ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପଶ୍ଚିମ ଓଡିଶାରେ ବିଜେଡି ସଙ୍ଗଠନର ମଙ୍ଗ ଧରିଥିବା ସୁଶାନ୍ତ ସିଂଙ୍କ ମନୋନୀତ ବିଜେଡି ପ୍ରାର୍ଥୀ ଏଠାରେ ହାରିଛନ୍ତି । କୁହାଯାଉଛି, ବିଧାୟିକା ରୀତା ସାହୁଙ୍କ ପ୍ରଛନ୍ନ ସମର୍ଥନରେ ଛିଡା ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଏଠାରେ ଜିତିଛନ୍ତି ।
– ସେହିଭଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗଡ ଟିଟିଲାଗଡକୁ ବିଜେପି ଛଡାଇ ନେଇଛି । ଏଠାରେ ସେ ନିଜ ପ୍ରାର୍ଥୀଙ୍କୁ ଜିତାଇପାରିନାହାନ୍ତି । ଟିଟିଲାଗଡରେ ବିଜେପିର ମମତା ଦେବୀ ଜୈନ ୯ ହଜାରରୁ ଅଧିକ ଭୋଟ ପାଇଥିବାବେଳେ ବିଜେଡିର ସୁକାନ୍ତୀ ପାଢୀ ୫ ହଜାର ୬୪୬ ଭୋଟ ପାଇଛନ୍ତି I

ବଲାଙ୍ଗୀରରେ କେବଳ ମନ୍ତ୍ରୀ ଟକୁନି ସାହୁଙ୍କୁ ଝଟକା ଲାଗିନାହିଁ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ବି ଝଟକା ଲାଗିଛି । ବଲାଙ୍ଗିରରେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ବିଜେଡିର ଲିକା ସାହୁ ୨୬ ହଜାର ୯୧ ଭୋଟ ପାଇଛନ୍ତି । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲେ ବି ମାତ୍ର ୧୧ହଜାର ୬୫୯ ଖଣ୍ଡ ଭୋଟ ପାଇଛନ୍ତି ।

ଅନ୍ୟପଟେ କୋରାପୁଟ କୋଟପାଡରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗଡରେ ବିଜେଡି ଚିତପଟାଙ୍ଗ ହୋଇଛି । କୋଟପାଡ ଏନଏସିରେ କଂଗ୍ରେସ ଜିତିଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି । ବିଜେପି ଦ୍ୱିତୀୟ ସ୍ଥାନରେ ଅଛି । ମୋଟ ୧୩ଟି ୱାର୍ଡ ମଧ୍ୟରୁ କଂଗ୍ରେସ ୬ଟି ଆସନରେ ଜିତିଛି । ବିଜେଡି ଓ ବିଜେପି ୩ଟି ଲେଖାଁଏ ୱାର୍ଡ ପାଇଛନ୍ତି ।

ସେହିଭଳି ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ପୌର ନିର୍ବାଚନରେ ହାରିଯିବା ଦଳକୁ ଚିନ୍ତାରେ ପକାଇଛି । ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡା ଏନଏସିରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଏଠାରେ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି । ବିଜେଡି କିନ୍ତୁ ସର୍ବାଧିକ ୮ଟି ୱାର୍ଡରେ ଜିତିଛି । ବିଜେପି ଓ କଂଗ୍ରେସ ଗୋଟିଏ ଗୋଟିଏ ଲେଖାଁଏ ୱାର୍ଡ ଜିତିଛନ୍ତି । ସ୍ୱାଧୀନ ୪ଟି ୱାର୍ଡ ପାଇଛନ୍ତି ।