ପୌର ନିର୍ବାଚନ : ସରିଲା ନାମାଙ୍କନ ପତ୍ର ପ୍ରତ୍ୟାହାର, ଚୂଡାନ୍ତ ହେଲା ପ୍ରାର୍ଥୀ ତାଲିକା

୧୪ ତାରିଖ ଥିଲା ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ର ଶେଷ ଦିନ I ଏହା ପରେ ପ୍ରକାଶ ପାଇଛି ଚୁଡାନ୍ତ ପ୍ରାର୍ଥୀ ତାଲିକା। ୬୪୧ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ୬୪୧୧ଜଣ ପ୍ରାର୍ଥୀ ରହିଛନ୍ତିି । ଏଥିରେ ୫୮୫୨ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ଥିବାବେଳେ ୫୬୯ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ମଇଦାନରେ ରହିଛନ୍ତି। ଆସନ୍ତା ୨୪ତାରିଖରେ ଏହି ପ୍ରାର୍ଥୀମାନେ ନିଜର ଭାଗ୍ୟ ପରୀକ୍ଷା କରିବେ।
ସେହିପରି ୫୩୯ ଜଣ ପ୍ରାର୍ଥୀ କାଉନସିଲର ଓ କର୍ପୋରେଟର ପଦ ପାଇଁ ଦାଖଲ କରିଥିବା ମନୋନୟନ ପତ୍ର ପ୍ରତ୍ୟାହାର କରିଥିବା ଜଣାପଡିଛି। ଏବେ ନିର୍ବାଚନ ମୈଦାନରେ ୫୮୫୨ ଜଣ ପ୍ରତିଦ୍ବନ୍ଦି ରହିଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ପ୍ରକାଶ।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୌର ନିର୍ବାଚନରେ ମୋଟ ୧୦୬ଟି ପୌର ପରିଷଦ,ଏନଏଏସିର ଅଧ୍ୟକ୍ଷ ପଦବୀ ଓ ୩ଟି ମହାନଗରର ମେୟର ପଦବୀ ନିମନ୍ତେ ମୋଟ ୬୯୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଯାଂଚରେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଥିବାବେଳେ ୧୦୨ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଫେରାଇ ନେଇଛନ୍ତି I

ସେହିପରି ୩ଟି ମହାନଗର ନିଗମର ୧୬୮ଟି ୱାର୍ଡ ସମେତ ୧୦୬ ପୌର ଓ ଏନଏସିର ମୋଟ ୧୮୯୯ଟି ୱାର୍ଡରେ ୬୪୫୯ଜଣ କର୍ପୋରେଟର/କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୭୮ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଥିବାବେଳେ ୫୩୯ଜଣ ନିଜର ନାମାଙ୍କନ ପତ୍ର ଫେରାଇ ନେଇଛନ୍ତି । ନାମାଙ୍କନ ପତ୍ର ଯାଂଚରେ ମୋଟ ୧୦୦ଜଣ(୭୮ଜଣ କାଉନସିଲର ଓ କର୍ପୋରେଟର ପ୍ରାର୍ଥୀ)ଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଥିଲା ଓ ମୋଟ ୬୪୧ଜଣ ପ୍ରାର୍ଥୀ(୧୦୨ଜଣ ମେୟର ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ମିଶାଇ) ନିଜର ନାମାଙ୍କନ ପତ୍ର ଫେରସ୍ତ ନେଇଛନ୍ତି ।

ସୂଚାନୁସାରେ , ପୌର ନିର୍ବାଚନ ପାଇଁ ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଥିବାବେଳେ ଆଜି ଅର୍ଥାତ୍ ୧୪ ତାରିଖ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଅପରାହ୍ନ ୫ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ଏବେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ପ୍ରଚାର ଅଭିଯାନ ଜୋରଦାର ହେବ। ଆସନ୍ତା ୨୪ ତାରିଖରେ ମତଦାନ ହେବ ଓ ୨୬ ତାରିଖରେ ଭୋଟ ଗଣନା ସହ ଫଳାଫଳ ଘୋଷଣା କରାଯିବ।