ପୌର ନିର୍ବାଚନ : ଟିକଟ ବଣ୍ଟନ କୁ ନେଇ ନେତାଙ୍କ ଦ୍ୱନ୍ଦ୍ୱ ଆଶାୟୀ ପ୍ରାର୍ଥୀ ଙ୍କ କସରତ

ରାଜ୍ୟରେ ପୌର ନିର୍ବାଚନ ପାଇଁ ଚଳିତ ମାସ ୨ ତାରିଖ ରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥର ମୋଟ ୧୦୬ଟି ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଏଥିପାଇଁ ରାଜ୍ୟରେ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଇଗଲାଣି । ତେବେ ଟିକଟ ବଣ୍ଟନ କୁ ନେଇ ଦଳ ମାନେ ଦ୍ବନ୍ଦରେ ଥିବାବେଳେ , ଟିକେଟ ହାତେଇବା ପାଇଁ ପ୍ରାର୍ଥୀ ମାନଙ୍କ ମଧ୍ୟ କସରତ ଆରମ୍ଭ ହେଲାଣି I ସେଥିପାଇଁ ଆଶାୟୀଙ୍କ ମଧ୍ୟରେ ପଶିଯାଇଛି ଛନକା । ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ନେତାଙ୍କ ଘରେ ଟିକେଟ ପାଇଁ ଲବି ଚଳାଇଛନ୍ତି । ବିଶେଷକରି ଶାସକ ଦଳର ତିନି ବିଧାୟକଙ୍କ ଘରେ ଆଶାୟୀ ପ୍ରାର୍ଥୀ ଭିଡ ଲଗାଉଛନ୍ତି । ଏ ଭିତରେ ସର୍ବ ପ୍ରଥମେ କଂଗ୍ରେସ ଦଳ ବିଏମସି ଓ ସିଏମସି ମେୟର ପାଦ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି I କଂଗ୍ରେସ ଦଳ ତରଫରୁ କଟକ ମେୟର ପଦ ପାଇଁ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିଵାଲା ବେହେରାଙ୍କୁ ପ୍ରାର୍ଥୀ କରାଯାଇ ଥିବାବେଳେ ଭୁବନେଶ୍ୱର ବିଏମସି ମେୟର ପଦ ପାଇଁ ମଧୁସ୍ମିତା ଆଚାର୍ଯ୍ୟ ଙ୍କୁ ପ୍ରାର୍ଥୀ ଭାବରେ ବିଧିବଦ୍ଧ ଘୋଷଣା କରି ସାରିଛି I
ମାତ୍ର ଏ ସବୁ ଭିତରେ ବିଜେଡି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ସ୍ପଷ୍ଟ କରି ନାହିଁ I କାରଣ ବିଜେଡି ରେ ଏ ପର୍ଯ୍ୟନ୍ତ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି I ତେଣୁ ଜଣକୁ ଟିକେଟ ଦେଲେ ଅନ୍ୟ ଆଶାୟୀମାନେ ଅସନ୍ତୁଷ୍ଟ ହେବେ ଫଳରେ କନ୍ଦଳ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଭାବିଚିନ୍ତି ବିଜେଡି ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ତେବେ ଜଣାପଡ଼ିଛି ଯେ, ବିଜେଡି ପ୍ରାର୍ଥୀମାନେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ ପାଇବେ । ବିଜେପି ପକ୍ଷରୁ ଚଳିତ ପୌର ନିର୍ବାଚନରେ ଟିକେଟ ବଣ୍ଟନ ଦାୟିତ୍ୱ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କୁ ଦିଆଯାଇଛି । ଶ୍ରୀ ମହାପାତ୍ରଙ୍କ ଦସ୍ତଖତରେ ଟିକେଟ ବଣ୍ଟାଯାଉଥିବା ଜଣାପଡ଼ିଛି । ତେବେ ପ୍ରାପ୍ତ ଖବର ଅନୁସାରେ ମେୟର ପଦ ପାଇଁ ଲବି ଜୋରଦାର ହୋଇଛି । ତେବେ କାହାକୁ ସୁପ୍ରିମୋ ଟିକେଟ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବିଜେପି ମଧ୍ୟ ମେୟର ପ୍ରାର୍ଥୀ ପାଇଁ ମାନସମନ୍ଥନ ଜାରି ରଖିଛି । କିନ୍ତୁ ବିଜେପି ନୂଆ ଚେହେରା ଆଣୁଛି ନା ପୁରୁଣାଙ୍କ ଭିତରୁ କାହା ଉପରେ ଭରସା କରୁଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ ବଣ୍ଟନ କରାଯାଉଥିବା ଜଣାପଡ଼ିଛି I
ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।