ଭୁବନେଶ୍ୱର: ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଡୋ-ପାସିଫିକ୍ ଶତାବ୍ଦୀ । ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ନୀଳ ଅର୍ଥନୀତି ହେଉଛି ଆମର ଜାତୀୟ ସମ୍ପତ୍ତି। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି। ବର୍ତ୍ତମାନ ଭାରତର ସାମୁଦ୍ରିକ ବିକାଶ ଗାଥାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୀତି ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। ଭାରତ ସରକାରଙ୍କ ‘ସାଗର’ (SAGAR- Security and Growth for All in the Region), ‘ଆକ୍ଟ ଇଷ୍ଟ ପଲିସି’, ‘ବିମଷ୍ଟେକ’ (BIMSTEC) ଏବଂ ‘କୋଷ୍ଟାଲ ସିକ୍ୟୁରିଟି ସ୍କିମ ଫେଜ-୩’ ଭଳି ପ୍ରଗତିଶୀଳ ନୀତିକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ‘ନଭମିତ୍ର’ (NABHMITRA) ଟ୍ରାନ୍ସପଣ୍ଡର ଲଗାଇବା ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି କାର୍ଯ୍ୟକ୍ରମକୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷାରେ ନିୟୋଜିତ ସମସ୍ତ ସୁରକ୍ଷାବଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।