ଖୁବଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଓ ପରିଣୀତି

ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଖୁବ୍‌ଶୀଘ୍ର ନିର୍ବନ୍ଧ ହୋଇପାରେ । ଏବେ ବେଶ୍‌ ଚର୍ଚ୍ଚାରେ ଥିବା ଏହି ଯୋଡ଼ିଙ୍କ ପରିବାର ଲୋକେ ମଧ୍ୟ ପରସ୍ପରକୁ ପସନ୍ଦ କରୁଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି।

ରାଘବ ଏବଂ ପରିଣୀତିଙ୍କୁ ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା। ଉଭୟେ ସାଙ୍ଗହୋଇ ଦୁଇଦିନ ଲଞ୍ଚ ଏବଂ ଡିନର ମଧ୍ୟ କରିଥିଲେ। ତେଣୁ ଉଭୟେ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି । ସେମାନଙ୍କ ପରିବାର ପକ୍ଷରୁ ନିର୍ବନ୍ଧ ପାଇଁ ତାରିଖ ଘୋଷଣା କରାଯିବାକୁ ପ୍ରସ୍ତୁତି ଚାଲିଛି ।

ରିପୋର୍ଟ ଅନୁସାରେ, ଇଂଲଣ୍ଡରେ ପାଠ ପଢ଼ୁଥିବାବେଳେ ଉଭୟେ ପରସ୍ପରକୁ ଜାଣିଥିଲେ । ଦୁହେଁ ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ପାଠ ପଢ଼ୁଥିଲେ ବୋଲି ଉଭୟେ ପ୍ରକାଶ କରିଛନ୍ତି । ପରିଣୀତି ଏବଂ ରାଘବଙ୍କୁ ଇଂଲଣ୍ଡରେ ‘ଭାରତ ବ୍ରିଟେନ୍‌ ଆଉଟ୍‌ଷ୍ଟାଣ୍ଡିଂ ଆଚିଭର ଅନର୍ସ’ ସମ୍ମାନ ପ୍ରଦାନ କରାଯାଇଥିଲା । ତେବେ ଉଭୟେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିନାହାନ୍ତି ।

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ ଉଭୟଙ୍କ ପରିବାର ଲୋକେ ବାହାଘର ପାଇଁ ମଧ୍ୟ ପ୍ରସ୍ତୁତ ଚଳାଇଛନ୍ତି । ନିକଟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍‌ ରାଜ୍ୟସଭାରେ ରାଘବଙ୍କୁ ନେଇ ମଜା କରିଥିଲେ । ରାଜ୍ୟସଭାରେ ବିଜନେସ୍‌ ନୋଟିସ୍‌ ନିଲମ୍ବନ କରିବାକୁ ନେଇ ଗୃହ ଚାଲୁଥିବାବେଳେ ରାଘବ ଉତ୍ତର ରଖିଥିଲେ । ସେହି ସମୟରେ ଉପରାଷ୍ଟ୍ରପତି ଧନଖଡ୍‌ କହିଥିଲେ, ‘ଆପଣ ଚାହିଁଲେ ଏବେ ଶାନ୍ତ ରହିପାରିବେ’ । ଉପରାଷ୍ଟ୍ରପତିଙ୍କ ଏହି ମଜାଳିଆ ମନ୍ତବ୍ୟରେ ରାଘବ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା । ତେବେ ରାଘବଙ୍କୁ ଏ ନେଇ ପଚରାଯିବାରେ ସେ ଏହାକୁ ଏଡ଼ାଇଯାଇଥିଲେ । ପରିଣୀତିଙ୍କ ବାବଦରେ ନୁହେଁ ବରଂ ରାଜନୀତି ବାବଦରେ ତାଙ୍କୁ ପ୍ରଶ୍ନ କରାଯାଉ ବୋଲି ରାଘବ କହିଥିଲେ ।