ସମ୍ବଲପୁର: ଲୋକଙ୍କ ସେବା କରିବା ପାଇଁ ଜନସାଧାରଣ ଆମକୁ ଦାୟିତ୍ୱ ଦେଇଛନ୍ତି । ଯେଉଁମାନେ ଆମ ବିଚାରଧାରାକୁ ପ୍ରଶ୍ନ କରୁଥିଲେ, ଜନସାଧାରଣ ସେମାନଙ୍କୁ ସମୁଚିତ୍ ଜବାବ ଦେଇସାରିଛନ୍ତି । ରାଜନୀତିରେ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଏବଂ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଉପରକୁ ଉଠି ସମୂହ ବିକାଶ ପାଇଁ ଭାବିବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ ବୋଲି ରବିବାର ସମ୍ବଲପୁରର ଦେବେଇପାଲି ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ‘ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ’ରେ ଯୋଗଦେବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଏହି ବୈଠକରେ ସଙ୍ଗଠନାତ୍ମକ ସୁଦୃଢ଼ୀକରଣ ଏବଂ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଆଲୋକପାତ କରିବା ସହ ଉଦବୋଧନ ଦେଇ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ତୃଣମୂଳ ସ୍ତରରେ ଅତ୍ୟନ୍ତ ମଜବୁତ୍ ସଙ୍ଗଠନ ରହିଛି । ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ, ମ୍ୟୁନିସିପାଲିଟି, ଏନଏସି ଏବଂ ସମବାୟ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏବେ ଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାରରୁ ସମୃଦ୍ଧି’ ଆହ୍ୱାନରେ ଦେଶରେ ସମବାୟ ଆନ୍ଦୋଳନର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଭାରତ ସରକାର ସମବାୟ ଆଇନରେ ସଂଶୋଧନ ଆଣିବା ପରେ ପୁରୁଣା ସମବାୟ ସମିତିଗୁଡ଼ିକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରାଯାଉଛି। ସମବାୟ କ୍ଷେତ୍ରରେ ସାଧାରଣ ଲୋକଙ୍କ ସହଭାଗିତା ବୃଦ୍ଧି କରିବା ପାଇଁ ଅତିଶୀଘ୍ର ଜିଲ୍ଲାରେ ଏକ ବୃହତ୍ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ।
ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ସେବା ପକ୍ଷ’ ପାଳନ କରାଯାଉଛି। ଏହି ଅବସରରେ ଦଳର କାର୍ଯ୍ୟକର୍ତ୍ତାମାନେ ଗରିବ, ଯୁବ, ମହିଳା, ଜନଜାତି ଓ ଅସହାୟ ବର୍ଗଙ୍କ ନିକଟରେ ପହଞ୍ଚି ସେମାନଙ୍କ ସେବା କରିବା ସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପହଞ୍ଚାଇବେ । ବିଶେଷ କରି ସ୍ୱଚ୍ଛତା, ପୋଷଣ ବା ପୃଷ୍ଟିକର ଖାଦ୍ୟ ଏବଂ ନିଶାମୁକ୍ତି ଅଭିଯାନକୁ ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରି ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଛି । ଏହାବ୍ୟତୀତ ଆଗାମୀ ଦିନରେ ସମ୍ବଲପୁର ମ୍ୟୁନିସିପାଲିଟି ଓ ଗ୍ରାମାଞ୍ଚଳରେ ବଡ ସ୍ୱଚ୍ଛତା ଅଭିଯାନ ବ୍ୟାପକ ଭାବେ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ଆଜି ଓଡ଼ିଶା ସମେତ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ଶାସନରେ ଜନସାଧାରଣଙ୍କ ନିରନ୍ତର ସେବା ଜାରି ରହିଛି । ଅନ୍ତର୍ଜାତୀୟ ସ୍ତରରେ ଭାରତ ଅତିଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା ହେବା ଉଚିତ୍ । ଜିଲ୍ଲାରେ ସଡ଼କ ଭିତ୍ତିଭୂମିରେ ବ୍ୟାପକ ନିବେଶ ସହ ରୋଜଗାରକୁ ଦୁଇଗୁଣିତ କରିବା ପାଇଁ ‘ଦିଶା’ ବୈଠକରେ ବୃହତ୍ ଯୋଜନା କରାଯାଇଛି । ସାମାଜିକ ସଂଗଠନର ମୂଳ ଲକ୍ଷ୍ୟ ହେଉଛି ସମାଜକୁ ସଠିକ୍ ବାଟ ଦେଖାଇବା ଏବଂ ଗରିବ, ଅସହାୟ, ମହିଳା, ଯୁବ ଏବଂ ଜନଜାତିଙ୍କ ସ୍ୱର ହେବା । ଆମକୁ ଶାସନ ଓ ଶାସିତଙ୍କ ମଧ୍ୟରେ ସେତୁ ସାଜିବାକୁ ହେବ । ଆମର ବ୍ୟବହାର ଓ ଆଚରଣ ଯେପରି କାହାରି ମନରେ ଆଘାତ ନଦିଏ, ସେଥିପ୍ରତି ସଜାଗ ରହି ବିଷୟ-ଆଧାରିତ ରାଜନୀତିକୁ ଆଗକୁ ବଢ଼ାଇବାକୁ ହେବ । ଶେଷରେ ସମ୍ବଲପୁର ବିକଶିତ ହେଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।