ପ୍ରତିଭା ବିକାଶ, ନବସର୍ଜନା ଏବଂ ଶିଳ୍ପ ସମନ୍ୱୟ ପାଇଁ କିଟ୍‍ ଓ ସୋୱାଟେକ୍‍ ମଧ୍ୟରେ ବୁଝାମଣା

ଟିଭିଏସ୍‍ ରେ କିଟ୍‍ରୁ ୪୦ ଆଇଟିଆଇ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ପ୍ରତିଭା ବିକାଶ, ନବସର୍ଜନା ଏବଂ ବୈଶ୍ୱିକ ପ୍ରତିଯୋଗିତାକୁ ଗୁରୁତ୍ୱ ପ୍ରଦାନ କରି ଶିଳ୍ପ ସମନ୍ୱୟ ପାଇଁ କିଟ୍‍ ଏବଂ ତାମିଲନାଡୁର ଏବିଆଇ ସୋୱାଟେକ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ପ୍ରତିଭା ବିକାଶ, ଗବେଷଣା, ଛାତ୍ର ସଂପୃକ୍ତି ଏବଂ ନବସର୍ଜନା-ଚାଳିତ ପଦକ୍ଷେପ ମାଧ୍ୟମରେ ଶିଳ୍ପ-ଶିକ୍ଷାକ୍ଷେତ୍ର ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏକ ବ୍ୟାପକ ସହଯୋଗୀ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଦୀର୍ଘକାଳୀନ ସହଯୋଗ ପାଇଁ ଏହି ସଂରଚିତ ଢାଞ୍ଚା ଶିଳ୍ପ-ଶିକ୍ଷାକ୍ଷେତ୍ର ସହଭାଗିତାକୁ ଆନୁଷ୍ଠାନିକ ରୂପ ଦିଆଯିବାର ଆଶା କରାଯାଉଛି ।
ଏହି ବୁଝାମଣା ଅନୁସାରେ ପ୍ରଥମ ପର୍ଯ୍ୟାୟରେ କିଟ୍‍ର ୪୦ ଜଣ ଆଇଟିଆଇ ଓ ଡିପ୍ଲୋମା ଛାତ୍ରଛାତ୍ରୀ ଟିଭିଏସ୍‍ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଏହି ଛାତ୍ରମାନେ ଶିଳ୍ପ ସଂସ୍ଥାରେ କାମ କରିବାର ଅଭିଜ୍ଞତା ହାସଲ କରିବା ସହ ଏବିଆଇର ପୁଲିଭାଲମ୍ ଉତ୍ପାଦନ କେନ୍ଦ୍ରରେ ଇଣ୍ଟର୍ନସିପ୍ କରିବା ସହ ସେଠାରେ ନିଯୁକ୍ତି ପାଇବେ । ପରେ ସେମାନଙ୍କୁ ଓଡ଼ିଶାରେ ହେବାକୁ ଥିବା ଟିଭିଏସ୍‍ କମ୍ପାନୀର ପ୍ରକଳ୍ପରେ ଅବସ୍ଥାପିତ କରାଯିବ । ଇଣ୍ଟର୍ନସିପ ସମୟରେ ରହିବା, ଖାଇବା ସୁବିଧା ସହ ମାସିକ ୨୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନର ବ୍ୟବସ୍ଥା ରହିଛି । ଏବିଆଇ ସୋୱାଟେକ୍‍ (ଇଣ୍ଡିଆ) ଲିମିଟେଡ୍ ଟିଭିଏସ୍‍ ଗ୍ରୁପ୍‍ର ସହ ଜଡ଼ିତ ଏକ ଅଂଶୀଦାର କମ୍ପାନୀ । ଏହା ପ୍ରିସିସନ୍ ଏବଂ ଇନ୍‍ଭେଷ୍ଟମେଣ୍ଟ କାଷ୍ଟିଂର ଏକ ବିଶେଷଜ୍ଞ ନିର୍ମାତା । ଏହା ମଧ୍ୟ ଟିଏସ୍‍ ସନାଥନମ ଗ୍ରୁପ୍ ଅଫ୍ କଂପାନୀଜ୍ ସହିତ ଜଡିତ ।
ଏହି ବୁଝାମଣା ଫଳରେ ଗବେଷଣା କ୍ଷେତ୍ରରେ ତିନୋଟି ମିଳିତ ପ୍ରସ୍ତାବ ବର୍ତ୍ତମାନ ମୂଲ୍ୟାଙ୍କନସ୍ତରରେ ଅଛି । ମନୋନୀତ ପ୍ରକଳ୍ପଗୁଡ଼ିକ ଉପରେ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି କିଟ୍‍ ସର୍ବଦା ପ୍ଲେସ୍‍ମେଣ୍ଟ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି । ଯାହା ଫଳରେ ଭାରତୀୟ ଓ ବହୁଦେଶୀୟ କମ୍ପାନୀମାନେ କିଟ୍‍ରୁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ପ୍ଲେସ୍‍ମେଣ୍ଟ ଦେଇଥାନ୍ତି । ଏହି ବୁଝାମଣା ଉତ୍ପାଦନ ପ୍ରକ୍ରିୟା, ସାମଗ୍ରୀ ଇଞ୍ଜିନିୟରିଂ ଏବଂ ଯୋଗାଣ ଶୃଙ୍ଖଳା ନବସର୍ଜନାର ଅପ୍‌ଟିମାଇଜେସନ୍ ଉପରେ କେନ୍ଦ୍ରିତ ପ୍ରୟୋଗିକ ଗବେଷଣାକୁ ପ୍ରାଥମିକତା ଦେବା ଏହି ସହଯୋଗର ପ୍ରାଥମିକ ଉଦ୍ଦେଶ୍ୟ ହେବ । ଏହି ସହଭାଗିତା ଘନିଷ୍ଠ ଶିଳ୍ପ ସଂଯୋଗ ସ୍ଥାପନ କରି ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ସହ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରି ଉଭୟ ପ୍ରତିଷ୍ଠାନକୁ ଲାଭବାନ କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଉପସଭାପତି ଡ. ଅଜୟ ପ୍ରଧାନ, ଏବିଆଇ ସୋୱାଟେକ୍‍ ଚେୟାରମ୍ୟାନ୍‌, ଆର ରାମାନୁଜାମ, ଡିନ୍ ଡ. ପିସି ମିଶ୍ର, ନିର୍ଦ୍ଦେଶକ ଡ ବେଣୁଗୋପାଲ ମହାପାତ୍ର, ଏବିଆଇର ସିଏଫ୍‍ଓ ଟି ଟି ହତଗ୍ରାବିନ୍‍, ଏବିଇର ପରାମର୍ଶଦାତା ଡ ଦେବାଶିଷ ଦେବ ଏବଂ ଏବିଆଇର କାର୍ଯ୍ୟନିର୍ବାହୀ ର୍ନିେଦ୍ଦଶକ ଏମ ସୁନ୍ଦର ପ୍ରମୁଖ ଉପସ୍ଥିତ ଥିଲେ ।