ମା’ ବୁଢ଼ୀ ଠାକୁରାଣୀ ଯାତ୍ରା; ସ ୪ ତାରିଖରେ ଅସ୍ଥାୟୀ ପୀଠକୁ ବିଜେ କରିବେ

ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ପ୍ରଥମ ପର୍ବ ଶୁଭଖୁଣ୍ଟି ସ୍ଥାପନା କାର୍ଯ୍ୟ ଗତକାଲି ମଧ୍ୟ ରାତ୍ରିରେ ମହା ସମାରୋହରେ ବିଧି ବିଧାନ ଅନୁଯାୟୀ ସଂପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ଏହି ଶୁଭଖୁଣ୍ଟି ସ୍ଥାପନା କାର୍ଯ୍ୟ ପରେ ଚଳିତ ବର୍ଷର ଯାତ୍ରା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସିଦ୍ଧାନ୍ତି ବି.ବାସୁଦେବ ଶାସ୍ତ୍ରୀ । ନିର୍ଦ୍ଧାରିତ ତିଥି ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ୍ ମାସ ୪ ତାରିଖରେ ଅସ୍ଥାୟୀ ପୀଠକୁ ବିଜେ କରିବେ ।

ପ୍ରାୟ ୨୮ ଦିନ ଧରି ବାପା ପାତର୍ଲା ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ଘର ନିକଟରେ ନିର୍ମିତ ଅସ୍ଥାୟୀ ପୀଠରେ ଶ୍ରଦ୍ଧାଳୁ୍‌ଙ୍କ ଦର୍ଶନ ଦେବା ସହ ତାଙ୍କ ମନସ୍କାମନା ପୂରଣ କରିବେ । ଚଳିତ ବର୍ଷ ମେ ୧ ତାରିଖରେ ମା’ ନିଜ ସ୍ଥାୟୀ ମନ୍ଦିରକୁ ଫେରିବେ ବୋଲି ସିଦ୍ଧାନ୍ତି ସୂଚନା ଦେଇଛନ୍ତି । ପରମ୍ପରା ଅନୁଯାୟୀ ଶୁଭଖୁଣ୍ଟିକୁ ଅଣାଯାଇ ଗତକାଲି ରାତିରେ ସ୍ଥାପନା କରାଯାଇଛି । ସୁଚନା ଯୋଗ୍ୟ ଯେ ଏହି ଶୁଭଖୁଣ୍ଟିକୁ ମା’ଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଥାଏ । ଆଜି ପ୍ରତ୍ୟୁଷରୁ ହିଁ ଶ୍ରଦ୍ଧାଳୁ ମାନେ ଏଠାରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମାସ ୪ ତାରିଖ ଦିନ ରାତ୍ରି ୧୧ଟା ୪୦ ମିନିଟ ସମୟରେ ମା’ଙ୍କୁ ଅସ୍ଥାୟୀ ପୀଠକୁ ଆଗମନ କରିବା ପାଇଁ ସ୍ଥାୟୀ ମନ୍ଦିରକୁ ଯାଇ ଆହ୍ୱାନ କରିବେ ।

ଏହି କାର୍ଯ୍ୟ ମଧ୍ୟ ରାତ୍ରି ୨ଟାରୁ ୫ ମଧ୍ୟରେ ସମାପନ ହେବ । ଏହି ଅବସରରେ ମା’ ୨୮ ଦିନଧରି ଭକ୍ତଙ୍କ ଗୁହାରୀ ଶୁଣିବେ ମନୋକାମନା ପୁରଣ କରିବେ । ପୁଣି ଥରେ ବିଧି ବିଧାନ ମୁୁତାବକ ମେ ମାସ ୧ ତାରିଖରେ ରାତ୍ରି ୧୦ଟାରୁ ୧୨ ଟା ମଧ୍ୟରେ ଅସ୍ଥାୟୀ ମନ୍ଦିରରୁ ବାହାରି ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଗହଣରେ ମହାସମାରୋହରେ ସ୍ଥାୟୀ ମନ୍ଦିରକୁ ଭୋରରେ ଫେରିବେ । ସୂଚନାଯୋଗ୍ୟ ଯେ ଗତ କାଲି ମା’ ବୁଢ଼ୀ ଠାକୁରାଣୀଙ୍କ ବାପା ଭାବେ ବିବେଚିତ ପାତର୍ଲା ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ବାସଗୃହ ନିକଟରେ ଏହି ପରିପ୍ରେକ୍ଷୀରେ ପୁଜାର୍ଚ୍ଚନା ହୋଇଥିଲା ରାତି ୧୦ଟାରେ ।

ଏହି ମାଙ୍ଗଳିକ କାର୍ଯ୍ୟ ବେଳେ ବିଧାୟକ ବିକ୍ରମ କୁମାର ପଣ୍ଡା,ଡେପୁଟି ମେୟର ଇ.ବିବେକ ରେଡ୍ଡିଙ୍କ ସମେତ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପରମ୍ପରା ଅନୁଯାୟୀ ଶୁଭଖୁଣ୍ଟିକୁ ନୀଳାମ୍ବର ପୃ୍‌ଷ୍ଟି ସଭାସ୍ଥଳକୁ ଆଣିଥିଲେ । ଏହି କାର୍ଯ୍ୟ ପରେ ପଟୁଆର ସହ ଶୁଭଖୁଣ୍ଟିକୁ ସ୍ଥାୟୀ ମନ୍ଦିରକୁ ନିଆଯାଇଥିଲା । ସେଠାରେ ପୁଜାର୍ଚ୍ଚନା ପରେ ଶୁଭଖୁଣ୍ଟିକୁ ଦେଶୀବେହେରାଙ୍କ ଘର ସମ୍ମୁଖରେ ସ୍ଥାପନା କରାଯାଇଥିଲା । ଏହି ଶୁଭଖୁଣ୍ଟିକୁ ଯାତ୍ରା ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ମାଙ୍କ ପ୍ରତୀକ ଭାବେ ପୂଜାର୍ଚ୍ଚନା କରିଥାନ୍ତି । ପ୍ରକାଶ ଯୋଗ୍ୟ ଯେ ଏହି ଶୁଭଖୁଣ୍ଟିକୁ ପ୍ରସ୍ତୁତ କରିବା ମଧ୍ୟ ଏକ ପରମ୍ପରା ଭାବେ ରହିଛି ।

ଦେଶୀ ବେହେରା ଶୁଭଖୁଣ୍ଟି ସ୍ଥାପନା ନିର୍ଦ୍ଧାରଣ ପରେ ତାରିଖ ସୁଚନା ଦିଅନ୍ତି ପାରମ୍ପରିକ ଶୁଭଖୁଣ୍ଟି ପ୍ରସ୍ତୁତକାରୀ ନିଳାମ୍ବର ପୃଷ୍ଟିଙ୍କୁ । ଉକ୍ତ ଦିନ ପୃଷ୍ଟି ବାଉଁଶକୁଣ୍ଡ ନିକଟରୁ ୯ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ୯ଟି ଗଣ୍ଠି ଥିବା ବାଉଁଶକୁ ଚିହ୍ନଟ କରିଥାନ୍ତି । ଏହାକୁ ନିଜ ଘରକୁ ଆଣି ପୁଜାପାଠ କରି ଘିଅ,ମହୁ,ଦହିରେ ଅଭିମନ୍ତ୍ରିତ କରିଥାନ୍ତି ।

ପରେ ଏହା ଆମ୍ବଡାଳ,ବରକୋଳି ପତ୍ର,ଦୁବ ଆଦିରେ ବାନ୍ଧି ପ୍ରସ୍ତୁତ କରିଥାନ୍ତି । ଏହି ଶୁଭଖୁଣ୍ଟିକୁ ଦେଶୀ ବେହେରା ବିଳମ୍ବିତ ସନ୍ଧ୍ୟାରେ ନିଜ ବାସଗୃହକୁ ଆଣିଥାନ୍ତି । ପୂଜାର୍ଚ୍ଚର୍ର୍ର୍ନା ପରେ ସ୍ଥାୟୀ ମନ୍ଦିରକୁ ନିଆଯାଇ ଥାଏ, ସେଠାରେ ମା’ଙ୍କ ଆଜ୍ଞାମାଳ ମିଳିବା ପରେ ଏହାକୁ ଅସ୍ଥାୟୀ ପୀଠ ନିକଟରେ ସ୍ଥାପନା କରାଯାଇଥାଏ । ଏହି କାର୍ଯ୍ୟ ଗତ କାଲି ସରିଥିବା ବେଳେ ସେହି ଅଞ୍ଚଳ ଏବେ ଉତ୍ସବ ମୁଖରିତ ହୋଇଛି, ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଯାଇଛି ।