ଆଫଗାନିସ୍ତାନ ରେ ଭୟଙ୍କର ଭୂମିକମ୍ପ ଯୋଗୁଁ ୧୦୦୦ ଅଧିକ ଲୋକ ମୃତ,୧୫୦୦ ଉର୍ଧ୍ଵ ଆହତ

ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଥିବାବେଳେ ୧୫୦୦ ଲୋକ ଆହତ ହୋଇଥିବା କୁହାଯାଉଛି । ଭୂକମ୍ପର ଝଟକା ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଥିଲା । ତେବେ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ଅଞ୍ଚଳ ବୋଲି ଜିୟୋଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋଷ୍ଟ ସହରଠାରୁ ୪୦ କିଲୋମିଟର ଦୂରରେ ଥିଲା। ତାଲିବାନ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତାଲିବାନ ସରକାରର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ ମହମ୍ମଦ ନାସିମ ହକକାନି କହିଛନ୍ତି ଯେ ଅଧିକାଂଶ ମୃତ୍ୟୁ ପାକିସ୍ତାନ ସୀମାନ୍ତ କୁ ଲାଗି ପଶ୍ଚିମ ଆଫଗାନିସ୍ତାନର ପାହାଡ଼ିଆ ଅଞ୍ଚଳ ଖୋଷ୍ଟ ଓ ପାକ୍ତିକାରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି I ଏହା ଭୂପୃଷ୍ଠରୁ ୫୧ କିମି ଗଭୀରରେ ସୃଷ୍ଟି ହୋଇଥିଲା। ରାତି ପ୍ରାୟ ୧.୩୦ରେ ଭୂକମ୍ପ ଝଟକା ଲୋକମାନେ ଅନୁଭବ କରିଛନ୍ତି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ରହିଥିଲା। ଖୋଷ୍ଟ ବ୍ୟତୀତ ପାକ୍ତିକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଘଟଣା ସ୍ଥଳରେ ଉଦ୍ଧାରକାରୀ ଜାରି ରହିଛି। ଏହି ଦୁଇ ଅଞ୍ଚଳରେ ବଡ଼ ବଡ଼ ବିଲ୍‌ଡିଂ ଭାଙ୍ଗିପଡ଼ିଛି। ଏଠାରେ ୪ ଟି ଜିଲ୍ଲାରେ ପାଖାପାଖି ୯୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଭୂକମ୍ପର ପ୍ରଭାବ ରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଅଂଚଳ କ୍ଷତିଗ୍ରସ୍ତ ହୋଇଛି ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରୁ କିଛି ଆହତଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଉଥିବା ବେଳେ ଆଉ କିଛି ଲୋକଙ୍କୁ ଘଟଣାସ୍ଥଳରେ ହିଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ପାକଟିକାର ଗୟନ ଓ ବାରମାଲରେ ସର୍ବାଧିକ ମୃତାହତ ରହିଛନ୍ତି। ଗୟନରେ ଥିବା ଗୋଟିଏ ଗାଁ ଭୂକମ୍ପ ଯୋଗୁ ପୂରା ମାଟିରେ ମିଶି ଯାଇଛି।

ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା କିନ୍ତୁ ଏଠାରେ ଧନ ଜୀବନ ନଷ୍ଟ ହେବାର ଖବର ମିଳି ନାହିଁ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବୁଧବାର ସକାଳେ ପାକିସ୍ତାନର ପଞ୍ଜାବ ଏବଂ ଖାଇବର ପାଖ୍ଟନଖୱାଠାରେ ୬ .୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଛି। ଇସଲାମାବାଦ, ମୁଲତାନ, ଭାକର, ଫାଲିଆ, ପେଶୱାର, ମାଲାକାଣ୍ଡ, ମିଆନୱାଲି, ସମେତ ଅନେକ ସ୍ଥାନରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।