ସୁପ୍ରିମକୋର୍ଟରେ ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲା: ସାପ୍ତାହିକ ଶୁଣାଣି ପାଇଁ ଗୁଜରାଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

ଅହମ୍ମଦାବାଦ,୨୧ା୧୧/ଏଜେନ୍ସି: ଗୁଜରାଟର ମୋର୍ବି ସହରରେ ଅକ୍ଟୋବର ୩୦ ସନ୍ଧ୍ୟାରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ମାମଲାର ନିୟମିତ (ପ୍ରତି ସପ୍ତାହରେ ଅତିକମରେ ଥରେ) ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଇତିମଧ୍ୟରେ ଗୁଜରାଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏକ ମର୍ମନ୍ତୁଦ ଦୁର୍ଘଟଣା । ତେଣୁ ପୋଲ ମରାମତି ସଂକ୍ରାନ୍ତ ଟେଣ୍ଡର, ଯେଉଁ କମ୍ପାନୀକୁ ଏହି ଦାୟିତ୍ୱ ଦିଆଯାଇଥିଲା, ତାହାର କାର୍ଯ୍ୟଦକ୍ଷତା ଏବଂ ଦୁର୍ଘଟଣା ପାଇଁ କେଉଁମାନେ ଦାୟୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକର ନିୟମିତ ଶୁଣାଣି ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ମାମଲାର ଶୁଣାଣି କରିଛନ୍ତି । ଇତିମଧ୍ୟରେ ଗୁଜରାଟ ହାଇକୋର୍ଟ ନିଜ ତରଫରୁ ମାମଲା ଦାଏର କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଦୁର୍ଘଟଣାରେ ନିଜର ଦୁଇ ଆତ୍ମୀୟଙ୍କୁ ହରାଇଥିବା ଜଣେ ବ୍ୟକ୍ତି ଏହାର ସିବିଆଇ ତଦନ୍ତ ଦାବିକରି ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି । ଏଥିସହିତ ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ ପାଇଁ ମଧ୍ୟ ସେ ପିଟିସନରେ ପ୍ରାର୍ଥନା କରିଛନ୍ତି । ତେବେ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପିଟିସନଧାରୀଙ୍କୁ ପରାମର୍ଶ ଦେଇଛନ୍ତି । ଗୁଜରାଟ ହାଇକୋର୍ଟ ଇତିମଧ୍ୟରେ ମାମଲା ଶୁଣାଣି ପାଇଁ ଗ୍ରହଣ କରିସାରିଥିବାରୁ ଏହା ନିଶ୍ଚିତଭାବେ କାର୍ଯ୍ୟକାରୀ କରାଯିବ ବୋଲି ସୁପ୍ରିମକୋର୍ଟ ପିଟିସନଧାରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଗୁଜରାଟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରିଥିବା ପ୍ରକାଶ । ସୂଚନାଯୋଗ୍ୟ ଗତ ଅକ୍ଟୋବର ୩୦ରେ ମୋର୍ବି ସହରର ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲାପୋଲ ଛିଣ୍ଡିବା ଫଳରେ ୪୭ ଶିଶୁଙ୍କ ସମେତ ମୋଟ ୧୪୦ ଜଣ ପ୍ରାଣ ହରାଇଥିଲେ । ଏହାବ୍ୟତୀତ ଶତାଧିକ ଆହତଙ୍କୁ ସେତେବେଳେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ରିଟିଶ ଅମଳର ଏହି ପୁରୁଣା ଝୁଲାପୋଲ ମରାମତି କରାଯିବାର ମାତ୍ର ଚାରିଦିନ ମଧ୍ୟରେ ଛିଣ୍ଡିପଡିଥିଲା । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗୁଜରାଟ ହାଇକୋର୍ଟ ନିଜଆଡୁ ମାମଲା ଦାଏର କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇସାରିଛି ।