ସଫଳ ହେଲା ମୁନ୍ ମିଶନ,ସମସ୍ତ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା । ସଫଳ ହେଲା ଭାରତର ଚନ୍ଦ୍ରଯାନ-୩ ଅଭିଯାନ I ସଫଳତା ସହ ଇତିହାସ ରଚିଛି ଭାରତ I ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଆଜି ଐତିହାସିକ ଦିନ । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ ଏବଂ ଚନ୍ଦ୍ରକୁ ପହଁଚିବାରେ ପୃୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିଛି । ଆଉ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।। ନବୀନ ନିବାସରେ ବସି ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ଲାଇଭ ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

ମୁନ ମିଶନର ସ୍ବର୍ଣ୍ଣିମ ସଫଳତା ପରେ ଝୁମୁଛି ସାରା ଦେଶ । ସବୁଠି ସେଲିବ୍ରେସନ୍ । କେଉଁଠି ନାଚ ଗୀତ ତ ଆଉ କେଉଁଠି କେକ୍ କାଟି ଲୋକ ଉତ୍ସବ ମନାଉଛନ୍ତି । ବିଶେଷ ମୁହୂର୍ତ୍ତକୁ ଲାଇଭରେ ଦେଖିଥିଲେ ୧୪୦ କୋଟି ଭାରତୀୟ । ସାଧାରଣ ଲୋକଙ୍କ ସହ ବହୁ ନେତା, ମନ୍ତ୍ରୀ ବି ଚନ୍ଦ୍ରଯାନର ଅବତରଣରେ ନିଜକୁ ସାମିଲ କରିଥିଲେ । ବିଦେଶରେ ଥିବା ପ୍ରବାସୀ ଭାରତୀୟ ମଧ୍ୟ ଇସ୍ରୋର ଏହି ସଫଳ ମହାଅଭିଯାନରେ ସାମିଲ ହୋଇଥିଲେ । ଚନ୍ଦ୍ରଯାନ ଓ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଦେଶ ।