କେରଳରେ ପୁଣି ମଙ୍କିପକ୍ସ ଆତଙ୍କ

ନୂଆଦିଲ୍ଲୀ: କେରଳରେ ପୁଣି ଥରେ ମଙ୍କିପକ୍ସ (ଏମ୍‌ପକ୍ସ) ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ୟୁଏଇରୁ ଫେରିଥିବା ଜଣାପଡ଼ିଛି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରେ ୨ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ନିକଟରେ ୟୁଏଇରୁ କେରଳ ଫେରିଥିବା ଦୁଇ ଜଣ ପୁରୁଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ପ୍ରଥମେ ଓ୍ବାୟନାଡ୍‌ର ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ । ପରେ କନ୍ନୁରରୁ ଦ୍ବିତୀୟ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସ ଭୂତାଣୁ ମିଳିଥିଲା । ଦୁଇ ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ, ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚଳିତ ବର୍ଷ ବିଶ୍ବରେ ମଙ୍କିପକ୍ସ ମାମଲା ବୃଦ୍ଧି ମଧ୍ୟରେ ପ୍ରଥମେ ଭାରତର କେରଳରେ ଏହି ମାମଲା ରେକର୍ଡ କରାଯାଇଥିଲା ।  ଏହି ପରିପ୍ରେକ୍ଷୀରେ ବିଦେଶରୁ ରାଜ୍ୟକୁ ଫେରୁଥିବା ଲୋକମାନଙ୍କ ଲାଗି ଆଇସୋଲେସନ୍‌ର ଗୁରୁତ୍ବକୁ ଦୋହରାଇଛନ୍ତି ସରକାର । ସେପଟେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ୨୧ ଦିନ ପର୍ୟ୍ୟନ୍ତ ସଜାଗ ରହିବାକୁ କୁହାଯାଇଛି । ମଙ୍କିପକ୍ସ, କୋଭିଡ-୧୯ କିମ୍ବା ଏଚ୧ଏନ୧ ଭଳି ବାୟୁ ବାହିତ ରୋଗ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ । ଏହି ଭୂତାଣୁ ବୃଦ୍ଧ, ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ବେଶୀ ପ୍ରଭାବିତ କରେ । ମଙ୍କିପକ୍ସ ସଂକ୍ରମିତଙ୍କ ଠାରେ ଜ୍ବର, ଭୀଷଣ ମୁଣ୍ଡବିନ୍ଧା, ଗଣ୍ଠି ବ୍ୟଥା, ପିଠି ଏବଂ ମାଂସପେଶୀରେ ଯନ୍ତ୍ରଣା ଆଦି ଲକ୍ଷ୍ୟଣ ଦେଖାଯାଏ ।