ବ୍ରିଟେନରେ ବ୍ୟାପିଲା ମଙ୍କିପକ୍ସ

ବ୍ରିଟେନରେ ଏକ ଅତ୍ୟନ୍ତ ବିରଳ ରୋଗ ମଙ୍କିପକ୍ସ ଚିହ୍ନଟ ହୋଇଛି। ଏହା ଏକ ବିରଳ ଭୂତାଣୁଜନିତ ସଂକ୍ରମଣ ଏବଂ ଜଣେ ବ୍ୟକ୍ତିଙ୍କ ଠାରୁ ଅତି ଘନିଷ୍ଠ ଭାବରେ ମିଳାମିଶା ଦ୍ୱାରା ଅନ୍ୟ ଜଣକୁ ସଂକ୍ରମିତ ହେଉଛି। ଏଥିରେ ସଂକ୍ରମିତ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହିତ ତାଙ୍କର ମୃତ୍ୟୁ ଘଟିବା ଆଶଙ୍କା ମଧ୍ୟ ରହିଛି । ବ୍ରିଟେନରେ ଜଣେ ଏହି ରୋଗରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯିବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି। ଚିହ୍ନଟ କରାଯାଇଥିବା ବ୍ୟକ୍ତିଙ୍କୁ ସମ୍ପ୍ରତି ଲଣ୍ଡନର ସେଣ୍ଟ ଥୋମାସ୍‍ ନ୍ୟାସନାଲ ହେଲ୍‍ଥ ସର୍ଭିସେସ୍‍ (ଏନଏଚ୍‍ଏସ) ଫାଉଣ୍ଡେସନ ଟ୍ରଷ୍ଟରେ ଏକାନ୍ତ ବାସରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଛି। ତେବେ ଉକ୍ତ ବ୍ୟକ୍ତିଙ୍କର ବୟସ, ଲିଙ୍ଗ ଆଦି ସମ୍ପର୍କରେ ସ୍ପଷ୍ଟ କରାଯାଇନାହିଁ। ଉକ୍ତ ବ୍ୟକ୍ତିଙ୍କ ସହିତ କେଉଁମାନେ ଘନିଷ୍ଠ ସମ୍ପର୍କରେ ଆସିଛନ୍ତି, ସେମାନଙ୍କ ସମ୍ପର୍କରେ ଖବର ସଂଗ୍ରହ ଚାଲିଛି। ତେବେ ଜଣାଯାଇଛି ଯେ ଉକ୍ତ ବ୍ୟକ୍ତିଜଣକ ନିକଟରେ ନାଇଜେରିଆରୁ ବ୍ରିଟେନ ଫେରିଥିଲେ।

ତେଣୁ ସେ ଯେଉଁ ବିମାନରେ ଆସିଥିଲେ, ଉକ୍ତ ବିମାନରେ ତାଙ୍କ ସହିତ ଯାତ୍ରା କରିଥିବା ଯାତ୍ରୀଙ୍କ ସମ୍ପର୍କରେ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ସଂଗ୍ରହ କରୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ରୋଗର ଭୂତାଣୁ ଶ୍ୱାସପ୍ରଶ୍ୱାସ, କଫ, କାଶ, ଛିଙ୍କ ଆଦି ଜରିଆରେ ବ୍ୟାପୁଛି ଏବଂ ଏହା ଜଣକର ଆଖି, ନାକ, ପାଟି, ଏପରିକି ଚର୍ମ ମଧ୍ୟଦେଇ ସଂକ୍ରମିତ କରିପାରୁଛି। ଏହା ପୂର୍ବରୁ କଙ୍ଗୋରେ ୧୯୭୦ରେ ମଣିଷଙ୍କ ଠାରେ ପ୍ରଥମ ମଙ୍କିପକ୍ସ ରୋଗ ଚିହ୍ନଟ କରାଯାଇଥିଲା। ତାହା ପରଠାରୁ ଏହା କାମେରୁନ, କେନ୍ଦ୍ର ଆଫ୍ରିକୀୟ ରାଷ୍ଟ୍ର କୋଟେ ଡି ଆଇଭୟର, କଙ୍ଗୋ, ଗାବନ୍‍, ଲାଇବେରିଆ, ନାଇଜେରିଆ, ସିଏରା ଲିଓନେ ଆଦି ରାଷ୍ଟ୍ରରେ ଚିହ୍ନଟ ହୋଇଛି ଏବଂ କଙ୍ଗୋରେ ଏହି ରୋଗରେ ଆକ୍ରାନ୍ତ ସର୍ବାଧିକ ସଂଖ୍ୟକ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏପରିକି ଏଥିରେ ଆକ୍ରାନ୍ତ ଲୋକ ଆମେରିକା, ଇସ୍ରାଏଲ, ସିଙ୍ଗାପୁର, ବ୍ରିଟେନରେ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି। ବିଶେଷକରି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ କରୁଥିବା ଲୋକଙ୍କୁ ଏହି ରୋଗର ଭୂତାଣୁ ସଂକ୍ରମିତ କରୁଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ଏହି ଭୂତାଣୁ ପ୍ରଥମେ ମାଙ୍କଡଙ୍କ ଠାରେ ଚିହ୍ନଟ କରାଯାଇଥିବାରୁ ଏହାକୁ ମଙ୍କିପକ୍ସ କୁହାଯାଉଛି।