ମୋଦୀଙ୍କ ୯୫ତମ ମନ୍ କୀ ବାତ୍‌, ଜି-୨୦ ଅଧ୍ୟକ୍ଷତା ମିଳିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓରେ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମର ୯୫ତମ ସଂସ୍କରଣ ଜରିଆରେ ଆଜି ଦେଶର ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଜି-୨୦, ସ୍ପେସ୍ ସେକ୍ଟର୍‌ରେ ଭାରତର ସ୍ଥାନ, ବିଶ୍ୱରେ ଭାରତୀୟ ସଙ୍ଗୀତର ଲୋକପ୍ରିୟତା ବୃଦ୍ଧି ସମେତ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭଜନ ମଧ୍ୟ ପ୍ଲେ କରାଯାଇଥିଲା । ମନ୍ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ଜି-୨୦ ସମ୍ପର୍କରେ ଉଲ୍ଲେକ କରିଥିଲେ । ସେ କହିଥିଲେ, ଭାରତ ଡିସେମ୍ବର ଏକ ତାରିଖରୁ ଏହି ସମୂହର ଅଧ୍ୟକ୍ଷତା କରିବାକୁ ଯାଉଛି । ଆମକୁ ଏହି ବଡ଼ ସୁଯୋଗର ପୂରା ଉପଯୋଗ କରି ବିଶ୍ୱକଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ଆମେ ଜି-୨୦ ପାଇଁ ‘ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି, ୱାନ୍ ଫ୍ୟୁଚର୍‌’ର ଯେଉଁ ଥିମ୍ ଦେଇଛେ, ସେଥିରୁ ବସୁଧୈବ କୁଟୁମ୍ବକମ୍ ପାଇଁ ଆମର ପ୍ରତିଶ୍ରୁତିବଦ୍ଧତା ଜାହିର ହେଉଛି । ସେ କହିଥିଲେ, କିଛିଦିନ ତଳେ ତେଲେଙ୍ଗାନାର ଜଣେ ବୁଣାକାର ହରିପ୍ରସାଦ ଗାରୁ ଜି-୨୦ର ଲୋଗୋ ହାତରେ ବୁଣି ମୋତେ ପଠାଇଥିଲେ । ଏହି ଆକର୍ଷଣୀୟ ଉପହାରକୁ ଦେଖି ମୁଁ ଚକିତ ହୋଇପଡ଼ିଥିଲି । ତେଲେଙ୍ଗାନର ଜଣେ ବ୍ୟକ୍ତି ଜି-୨୦ ସମ୍ମେଳନ ସହ ନିଜକୁ ଯୋଡ଼ିପାରିବା ଏକ ଆଶ୍ଚର୍ଯ୍ୟଜନ ଘଟଣା । ଏହା ବ୍ୟତୀତ ମୋଦୀ କହିଥିଲେ, ଭାରତ ସ୍ପେସ୍ ସେକ୍ଟର୍‌ରେ ନିଜ ସଫଳତା ପଡ଼ୋଶୀ ଦେଶଙ୍କ ସହ ଶେୟାର କରୁଛି । ଭାରତୀୟ ସଙ୍ଗୀତ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୮ ବର୍ଷ ମଧ୍ୟରେ ଭାରତୀୟ ମ୍ୟୁଜିକାଲ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ରପ୍ତାନୀ ସାଢ଼େ ତିନିଗୁଣା ବୃଦ୍ଧି ପାଇଛି । ଇଲେକ୍ଟ୍ରିକାଲ୍ ମ୍ୟୁଜିକ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ରତ୍ପାନୀ ୬୦ ଗୁଣା ବୃଦ୍ଧି ପାଇଛି । ଏଥିରୁ ଭାରତୀୟ ସଂସ୍କୃତି ଓ ସଙ୍ଗୀତର ଲୋକପ୍ରିୟତା ବିଶ୍ୱରେ ବୃଦ୍ଧି ପାଉଥିବା ପ୍ରତୀତ ହେଉଛି । ନାଗା ସଂସ୍କୃତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏହାର ସୁନ୍ଦରତା ଧୀରେ ଧୀରେ ହଜିଯିବାକୁ ବସିଥିଲା । ମାତ୍ର ‘ଲିଡି କ୍ରୋଉ’ ସଂସ୍ଥା ଏହାକୁ ପୁନର୍ଜୀବିତ କରିବା କାର୍ଯ୍ୟ କରିଛି । ଉଦାହରଣ ସ୍ୱରୂପ ଏହି ସଂସ୍ଥା ନାଗା ସଙ୍ଗୀତର ଆଲ୍‌ବମ୍ ଲଞ୍ଚ୍ କାର୍ଯ୍ୟ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମାସର ଶେଷ ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମ କରୁଛନ୍ତି । ଏଥିରେ ଗତ ଏକମାସ ମଧ୍ୟରେ ଘଟିଥିବା ଘଟଣା ଉଲ୍ଲେଖ କରିବା ସହ ଆଗାମୀ ଏତିହାସିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥାନ୍ତି ।

Modi's 95th Man Ki Baat