ନୂଆଦିଲ୍ଲୀ: ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ସରକାରୀ ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ମୋଦୀ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ସମୟ କାର୍ଯ୍ୟ କରିବା ପରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି। ପିଏମ୍ ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସାରା ଦେଶରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାର ଯାତ୍ରା ସଂପର୍କରେ କହିଛନ୍ତି। ନିଜର ୨୫ ବର୍ଷର ରାଜନୈତିକ ଯାତ୍ରାକୁ ମନେ ପକାଇ ମୋଦି କହିଥିଲେ ଯେ, ୨୦୦୧ ଅକ୍ଟୋବର ୭ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଏପରି ଏକ ଦିନ ଆସିବ ବୋଲି ସେ କେବେ କଳ୍ପନା କରିନଥିଲେ। ଲଗାତାର ୨୫ ବର୍ଷ ଧରି ସରକାରର ମୁଖ୍ୟ ଭାବେ ସେବା କରିବାର ସୁଯୋଗ ମିଳିଥିବାରୁ ସେ ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ତାଙ୍କର ୨୫ ବର୍ଷର ଯାତ୍ରା ଲୋକଙ୍କ ଆଶୀର୍ବାଦ ଓ ଭରସା ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି। ତେଣୁ ଦେଶବାସୀ, ବିଜେପି, ଏନ୍ଡିଏ ଏବଂ ଗଣତନ୍ତ୍ର ଉପରେ ଆସ୍ଥା ରଖୁଥିବା ସମସ୍ତ ରାଜନୈତିକ ସହଯୋଗୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ନିଜର ରାଜନୈତିକ ଜୀବନର ମୂଳମନ୍ତ୍ର ଭାବେ ‘ସେବା ହିଁ ଧର୍ମ’କୁ ଗୁରୁତ୍ୱ ଦେଇଛନ୍ତି ମୋଦି। ସେ କହିଛନ୍ତି, ସେ ଆକାଂକ୍ଷା ପାଇଁ ନୁହେଁ, ବରଂ ଏକ ଲକ୍ଷ୍ୟ ଓ ମିଶନ ପାଇଁ ଜୀବନ ବିତାଉଛନ୍ତି। ନିଜ ଯାତ୍ରାର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାର ଉଦାହରଣ ଦେଇ ମୋଦି କହିଥିଲେ, ୨୦୦୧ର ଭୂଜ୍ ଭୂମିକମ୍ପ ତାଙ୍କୁ ପୁନର୍ନିର୍ମାଣ ସମୟରେ ଦୃଢ଼ ରହିବା ଶିଖାଇଥିଲା। ଚନ୍ଦ୍ରଯାନ ମିଶନ ତାଙ୍କୁ ବିଫଳତାରୁ ପୁଣି ଥରେ ଉଠିବାର ପ୍ରେରଣା ଦେଇଥିଲା। କୋଭିଡ୍ ସଙ୍କଟ ଦେଶର ସାମୂହିକ ଚେତନାର ଗୁରୁତ୍ୱ ବୁଝାଇଥିଲା। ଭଲ ଓ ଖରାପ ଉଭୟ ଅନୁଭୂତି ମଧ୍ୟରେ ଆଗକୁ ବଢ଼ିବା ପାଇଁ ଗଣମାଧ୍ୟମ ମଧ୍ୟ ତାଙ୍କୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ଦେଶକୁ ଆଗକୁ ବଢ଼ିବାକୁ ହେବ ବୋଲି ସେ ଆହ୍ୱାନ ଦେଇଛନ୍ତି।