କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ଭୁବନେଶ୍ୱର : ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ତେବେ ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ, ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି ଆଜି ସୁଭଦ୍ରା ଶୁଭାରମ୍ଭ ଅବସରରେ ଓଡ଼ିଶକୁ ଆସିଥିବା ସେ କହିଛନ୍ତି। ତେବେ ଉଦ୍‌ଘାଟନୀ ଉତ୍ସବରେ ମୋଦି ନାଁ ନନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗଣେଶ ଉତ୍ସବ ଆମ ଏକତାର ପ୍ରତୀକ। ମୁଁ ଗଣେଶ ପୂଜନରେ ସାମିଲ ହେବାରୁ କିଛି ଲୋକଙ୍କୁ ବାଧିଥିଲା। ସେମାନେ ମୋ ନାଁରେ ଅପପ୍ରଚାର ଆରମ୍ଭ କରିଦେଲେ। ତେବେ ସେମାନେ ଗଣପତିଙ୍କୁ କେତେ ସମ୍ମାନ ଦିଅନ୍ତି ସବୁ ଜାଣିଛନ୍ତି। ଗଣେଶ ପୂଜାରେ କର୍ନାଟକରେ ସେମାନେ ସବୁ ସୀମା ଟପିଗଲେ। କିଛି କ୍ଷମତାଲିପ୍ସୁ ଲୋକ ବିଭାଜନ ସୃଷ୍ଟି କରୁଛନ୍ତି। ସେଭଳି ଘୃଣା ସୃଷ୍ଟିକାରୀଙ୍କୁ ଆଗକୁ ବଢ଼ିବାକୁ ଦେବାନି ବୋଲି ମୋଦି କହିଛନ୍ତି। ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ, ଭାଜପା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।