ଭୁଟାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟର ଗାନ୍ଧୀନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଗ୍ଲୋବାଲ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଗୁରୁବାର ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ଭୁଟାନର ସ୍ୱାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ଯୋଗ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

ପାରମ୍ପାରିକ ଔଷଧର ପ୍ରଚାର ପାଇଁ ଭୁଟାନର ସ୍ୱାସ୍ଥ୍ୟମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ପାରମ୍ପାରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ଗୁରୁତ୍ୱପୂର୍ଣ୍ଣ, କାରଣ ବିଶ୍ୱ ବର୍ତ୍ତମାନ କୋଭିଡରୁ ସୁସ୍ଥ ହେଉଛି। ପାରମ୍ପରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ପାଇଁ ମୁଁ ଭାରତକୁ ଅଭିନନ୍ଦନ ଜଣାଉଛି। ବିଶ୍ୱ ବର୍ତ୍ତମାନ ମହାମାରୀ କରୋନାରୁ ସୁସ୍ଥ ହେଉଛି। ପାରମ୍ପରିକ ଔଷଧକୁ ଧ୍ୟାନରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଏକ ଭଲ ପଦକ୍ଷେପ।”

ଏହି ବୈଠକରେ ଡେଚେନ୍ ଭୁଟାନର ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ ଯେ ଆମେ ପାରମ୍ପାରିକ ଏବଂ ଏଲୋପାଥିକ ଔଷଧକୁ ସମାନ ଭାବେ ଗ୍ରହଣ କରିଛୁ। ଭୁଟାନର ସମସ୍ତ ଡାକ୍ତରଖାନାରେ ଉଭୟ ଏଲୋପାଥିକ୍ ଏବଂ ପାରମ୍ପାରିକ ଡାକ୍ତର ଅଛନ୍ତି। ଗୋଟିଏ ବିଶ୍ୱବିଦ୍ୟାଳୟରେ ଉଭୟ ପ୍ରକାରର ଶିକ୍ଷା ପ୍ରଦାନ କରୁଛି ଭୁଟାନ। ସେହିପରି ଜି-୨୦ ଶିଖର ସମ୍ମିଳନୀରେ ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଭାରତର ହେଉଥିବା ଯୋଗାଭ୍ୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାତରେ ପାରମ୍ପାରିକ ଔଷଧ ଏବଂ ଆୟୁର୍ବେଦିକ ଔଷଧର ଏକ ସମୃଦ୍ଧ ଇତିହାସ ରହିଛି। ଏହି ଔଷଧରେ ଯୋଗ ରହିଛି, ଯାହାକୁ ବର୍ତ୍ତମାନ ବିଦେଶର ବହୁତ ମାତ୍ରାରେ ଆପଣାଉଛନ୍ତି।