ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି୨୦ ଆୟୋଜିତ

ଭୁବନେଶ୍ୱର, ୨୧/୦୪: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଭୁବନେଶ୍ଵର ଥରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେଟିକ୍ ଲିଡିରସିପ୍ (ଆଇଆଇଡିଏଲ୍‌)ର ମିଳିତ ଆନୁକୂଲ୍ୟରେ ସୋଆରେ ଆୟୋଜିତ ଏହି ମକ୍ ଜି୨୦ର ପ୍ରସଙ୍ଗ ରହିଥିଲା “ଭବିଷ୍ୟତର କାର୍ଯ୍ୟ” । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ଭାଗ ନେଇଥିଲେ ।
ଜି୨୦ର କାର୍ଯ୍ୟଧାରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କାରଣ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ପ୍ରମୁଖ ଭାଗୀଦାର ବୋଲି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି କେରଳର ଆଡିସ୍‌ନାଲ୍ ସ୍କିଲ୍ ଆକ୍ୟୁଜିସନ୍ ପ୍ରୋଗ୍ରାମର ଅଧ୍ୟକ୍ଷା ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ଉଷା ଟାଇଟସ ।

ଜି୨୦ ଦେଶଗୁଡ଼ିକ ବିଶ୍ୱ ଜିଡିପିର ୯୦ ପ୍ରତିଶତ ଅଂଶୀଦାର ଥିବା ବେଳେ ବିଶ୍ୱ ବାଣିଜ୍ୟ ର ୮୦ ପ୍ରତିଶତ ଅଂଶ ଏହି ଦେଶଗୁଡ଼ିକ ଉପରେ ନିର୍ଭର କରେ। ସହଭାଗିତା ଓ ସହଯୋଗ କ୍ଷେତ୍ରରେ ଆଲୋଚନା ନିମନ୍ତେ ଏହା ହିଁ ଉତ୍କୃଷ୍ଟ ଫୋରମ୍ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଡିଏଲ୍‌ର କୋର୍ସ ଡାଇରେକ୍ଟର ଶ୍ରୀ ଦେବେନ୍ଦ୍ର ପାଇ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଶ୍ରୀମତି ଟାଇଟସ କହିଥିଲେ ଯେ କୋଭିଡ ୧୯ ବିଶ୍ଵର ଚିନ୍ତାଧାରାକୁ ବଦଳାଇଛି ଏବଂ ଆମ ଜୀବନରେ ଟେକ୍ନୋଲୋଜିକୁ ଖୁବ୍ ବିଶାଳଆକାରରେ ସ୍ଥାନ ଦେଇଛି ।
ଶିକ୍ଷାକୁ ଆଗେଇ ନେବା ପାଇଁ ଟେକ୍ନୋଲୋଜିର ଅନେକ ଆବଶ୍ୟକତା ରହିଛି ଏବଂ ଭବିଷ୍ୟତର ବିକାଶ ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥାକୁ ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ପ୍ରଫେସର ନନ୍ଦ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ଭବିଷ୍ୟତର ନେତୃତ୍ୱ । ତେଣୁ ଏହି ମକ୍ ଜି୨୦ କନ୍‌କ୍ଲେଭ୍‌ରେ ବିଶ୍ୱର ବିଭିନ୍ନ ପ୍ରସଙ୍ଗକୁ ବୁଝିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ ।

‘ଭବିଷ୍ୟତର କାର୍ଯ୍ୟ’ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁବପିଢ଼ି ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଶ୍ରୀ ପାଇ କହିଥିଲେ ଯେ ମକ୍ ଜି୨୦ ଛାତ୍ରଛାତ୍ରୀମାନଙ୍କୁ ରାଜନୀତି, ନୀତିନିର୍ଦ୍ଧାରଣ ଏବଂ ଆନ୍ତର୍ଜାତିକ ସମ୍ପର୍କ ବୁଝିବା ଦିଗରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ନିଜର ମତ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟର ଇନ୍‌ଟରନ୍ୟାସ୍‌ନାଲ୍ କୋଅପରେସନ୍ ବିଭାଗର ସିନିୟର କନ୍‌ସଲଟାଂଟ ଶ୍ରୀମତି ଆରିସା ଫାତମା ଏବଂ ଇକୋନୋମିକ ଆଡଭାଇଜର ଶ୍ରୀମତି ଅର୍ଚନା ମାୟାରମ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ସେହିପରି ଶୁକ୍ରବାର ଅପରାହ୍ଣରେ ଜି ୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ବକ୍ତୃତା, ରଙ୍ଗୋଲୀ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ସୋଆର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା କେତେକ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା ।