ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଓଡିଶା ର ବିଧାୟକ ଓ ମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡିଶାରୁ ଯାଇଥିବା ବିଧାୟକ ଦଳ ।ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ ଜଣ ବିଧାୟକ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଉପହାର ପ୍ରଦାନ କରିଛନ୍ତି। ଗତ ବିଧାନସଭା ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଏକ ସଂକଳ୍ପ ପାରିତ ହୋଇଥିଲା। ବାଚସ୍ପତି ଶ୍ରୀ ଆରୁଖ ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସେହି ସଂକଳ୍ପ ପତ୍ର ପ୍ରଦାନ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭା ତରଫରୁ ଜଗନ୍ନାଥଙ୍କ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡିଆ କଳାକୃତିର ଉପହାର ଦିଆଯାଇଛି। ଏହି ସାକ୍ଷାତ କାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କୋଟପାଡ଼ର ପ୍ରସିଦ୍ଧ ଶାଢ଼ୀ ଉପହାର ଦେଇଥିବା ବେଳେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶାଢ଼ୀ ଉପହାର ଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବିଧାୟକମାନେ ଗୁରୁବାର ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ସନ୍ଧ୍ୟାରେ ବିଜେପି ବିଧାୟକମାନେ ଦିଲ୍ଲୀ ଯାଇଥିଲେ। ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ବହନ କରାଯାଇଛି।