ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟକୁ ବିରୋଧ କରି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ପକ୍ଷରୁ ଦାୟର ଅପିଲକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିଛନ୍ତି । ନିମ୍ନ ଅଦାଲତରୁ ରେକର୍ଡ ତଲବ କରିଛନ୍ତି । ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଏମଡି ତଥା କଂଗ୍ରେସ ବିଧାୟକ ଇଂ. ମୋକିମଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ସହ ଜରିମାନାରେ ଦଣ୍ଡିତ କରିଛନ୍ତି । ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ (ସସପେନସନ୍‌) ପାଇଁ ଅନୁରୋଧ କରି ଇଂ. ମୋକିମ୍ ମାମଲା ରୁଜୁ କରିଥିଲେ ।
ଆଜି ହାଇକୋର୍ଟ ତାଙ୍କ ଆଦେବନର ଶୁଣାଣି କରି ବିଚାର ଲାଗି ଏହାକୁ ଗ୍ରହଣ କରିଥିଲେ । ଅପିଲ ବିଚାରାଧୀନ ଥିବାବେଳେ ତାଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ଭିଜିଲାନ୍ସ ଆଦଲତଙ୍କ ଜରିମାନା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏଥିସହ ୧ଲକ୍ଷଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ ଅଦାଲତଙ୍କ ଜେଲଦଣ୍ଡ ଉପରେ ରୋକ୍ ପାଇଁ ମୋକିମ କରିଥିବା ଆବେଦନ ବିରୋଧରେ ଭିଜିଲାନ୍ସ ବିଭାଗ ଲିଖିତ ମତାମତ ରଖିଛି । ଏହାର କପି ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆଗାମୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଇଂ. ମୋକିମ୍‌ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ମାମଲା ପରିଚାଳନା କରୁଛନ୍ତି ।
ସୂଚନା ଯୋଗ୍ୟ ଯେ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଋଣ ହଡ଼ପ ମାମଲାର ଶୁଣାଣି କରି ନିକଟ ଅତୀତରେ ଭିଜିଲାନ୍ସ କୋର୍ଟ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମୋକିମଙ୍କ ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ ଚଞ୍ଚକତା କରି ଓଆରଏଚଡିସିରୁ ୧୫୦ ଲକ୍ଷର ଋଣ ମଞ୍ଜୁର କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଚଞ୍ଚକତାରେ ସାମିଲ ଥିବା ଅଭିଯୋଗରେ କୋର୍ଟ ପୂର୍ବତନ ଆଇଏଏସ୍ ତଥା ଓଆରଏଚଡିସିର ତତ୍କାଳୀନ ଏମଡି ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାପାତ୍ର, କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ । ସମସ୍ତଙ୍କୁ ୩ ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା । ଜରିମାନା ରାଶି ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟ୍ ନକଲି ଥିଲା । ପୁଣି ଉଚିତ୍ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ଋଣ ଦିଆଯାଇଥିଲା । ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଏବଂ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ । ୧୭ ଜଣ ସାକ୍ଷୀ ଓ ତଥ୍ୟ ପ୍ରମାଣକୁ ଆଧାର କରି ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ରାୟ ଦେଇଥିଲେ । ଅନ୍ୟ ପକ୍ଷରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବାରୁ ତାଙ୍କ ସଦସ୍ୟ ପଦ ରଦ୍ଦ ହେବାର ସମ୍ଭାବନା ଦେଖାଦେଇଥିଲା । ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ ମିଳିଥିବାରୁ ଇଂ. ମୋକିମଙ୍କୁ ଆଶ୍ୱସ୍ତି ମିଳିଥିବା କୁହାଯାଉଛି ।