ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ଦୁର୍ବୃତ୍ତ: ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଲହୁଣିପଡ଼ା ଥାନା ଅଧୀନ ଗଣିଘଷା ଗ୍ରାମର ୩୫ ବର୍ଷୀୟ କାନ୍ହୁ ମହାନ୍ତ ଶୌଚ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇଜଣ ଯୁବକ ଆସି ହଠାତ୍‌ କାନ୍ହୁଙ୍କ ଉପରେ ପେଟ୍ରୋଲ ଢାଳି ଲାଇଟର୍‌ ଯୋଗେ ନିଆଁ ଲଗାଇ ଫେରାର୍‌ ହୋଇଯାଇଥିଲେ। ନିଆଁରେ କାନ୍ହୁ ଗୁରୁତର ଭାବେ ପୋଡ଼ିଯାଇଥିବାରୁ ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ୍‌ ଓ ପରେ ଅବସ୍ଥା ମୁମୂର୍ଷୁ ହେବାରୁ ରାଉରକେଲା ଆର୍‌ଜିଏଚ୍‌କୁ ପଠାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୀଭତ୍ସ ଆକ୍ରମଣ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।