ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଘଟିଥିବା ଜଣେ ୧୦ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଗୁଳିରେ ଅଭିଯୁକ୍ତ ଆହତ ହୋଇ ଗିରଫ ହୋଇଛି। ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସେପ୍ଟେମ୍ବର ୨୨ ତାରିଖରେ ଘଟିଥିବା ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ନିରନ୍ତର ଚଢ଼ାଉ ଜାରି ରଖିଥିଲା। ଅଭିଯୁକ୍ତକୁ ଗିରଫ କରିବା ପରେ ଘଟଣାସ୍ଥଳରୁ ପ୍ରମାଣ ଓ ଜବତ ସାମଗ୍ରୀ ପୁନରୁଦ୍ଧାର ପାଇଁ ନିଆଯାଉଥିବା ସମୟରେ ସେ ଖସିଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅଭିଯୁକ୍ତଜଣକ ଜଣେ ପୋଲିସ ଅଧିକାରୀଙ୍କ ସର୍ଭିସ ପିସ୍ତଲ ଛଡ଼ାଇ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଆତ୍ମରକ୍ଷାର୍ଥେ ଓ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଲଟା ଗୁଳିଚାଳନା କରିଥିଲା, ଯେଉଁଥିରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିଲା ଏବଂ ତାକୁ କାବୁ କରାଯାଇଥିଲା। ବର୍ତ୍ତମାନ ପୋଲିସ ହେପାଜତରେ ତାର ଚିକିତ୍ସା ଚାଲିଛି।