ଦୀପାବଳି ପରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ଙ୍କ ସୂଚନା

ଦୀପାବଳି ପରେ ପରେ ପ୍ରାଥମିକ (ପ୍ରଥମରୁ ସପ୍ତମ) ଶ୍ରେଣୀ ସ୍କୁଲ ଗୁଡିକୁ ଖୋଲାଯିବା ପାଇଁ ସରକାର ନିଷ୍ପତି ନେଇଛନ୍ତି I ଏ ସଂପର୍କରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସିଲାଣି।ସେହି ଭଳି ଦ୍ୱିତୀୟ ଲହର ର ସଂକ୍ରମଣ ମଧ୍ୟ ହ୍ରାସ ପାଉଛି ତେଣୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସ୍କୁଲ୍‌ରେ ହେଉଛି। ସେହି ଅନୁସାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ୍‌ ଖୋଲିବାକୁ ସରକାର ତୁରନ୍ତ ନିଷ୍ପତ୍ତି ନେବେ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏନେଇ ନିଷ୍ପତ୍ତି ନେଇପାରନ୍ତି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି। ତେଣୁ ପର୍ଯ୍ୟାୟକ୍ରମେ ଏଗୁଡ଼ିକୁ ଖୋଲିବାକୁ ବିଚାର କରାଯାଉଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯଥାକ୍ରମେ ସ୍କୁଲ୍ ତଥା କଲେଜ ଯାଉଛନ୍ତି। ଶ୍ରେଣୀ ଗୃହରେ ସେମାନଙ୍କ ପାଠପଢ଼ା ହେଉଛି। ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଶ୍ରେଣୀ ଗୃହରେ ପାଠପଢ଼ା ହେଉଛି। ନଭେମ୍ବର ପହିଲାରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଶ୍ରେଣୀ ଗୃହରେ ହେବ। ସେହିଭଳି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶ୍ରେଣୀ ଗୃହରୁ ଆରମ୍ଭ ହେବ। ଏହା ମଧ୍ୟରେ କୋଭିଡ ଗାଇଡ଼ ଲାଇନ କୁ ଯେଉଁ ଭଳି ଭାବରେ କଡାକଡି ପାଳନ କରାଯିବ ସେ ନେଇ ସ୍କୁଲ ଗୁଡିକୁ ଆଗୁଆ ଚିଠି କରାଯିବବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି I

Comments (0)
Add Comment