ଗିରଫ ହେଲେ କୋଟିପତି ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର

ରକ୍ଷକ ଯଦି ଭକ୍ଷକ ହୁଏ I କଥାରେ କହନ୍ତି ଚାକିରୀ କରିବ ପଲିସୀ,ମାଛ ଖାଇବ ଇଲିସି I ଏଇଭଳି ଜଣେ ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଫିସର ତ୍ରିନାଥ ମିଶ୍ର ଗତକାଲି ଭିଜିଲାନ୍ସ ଜାଲ ରେ ପଡିଛନ୍ତି I ଯିଏ କି ମାଛ ସହିତ ମାଛ ଗାଡ଼ିଆ କୁ ବି ଖାଇ ଯାଇଛନ୍ତି I ଆୟ ବହିର୍ଭୁତ ସମ୍ପତ୍ତିର ହିସାବ ଦେଇ ନ ପାରି ଗିରଫ ହୋଇଛନ୍ତି କୋଟିପତି ପୋଲିସ୍‌ ଅଧିକାରୀ । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୀର୍ଘ ଗୋଟିଏ ଦିନ ଧରି ଭିଜିଲାନ୍ସ ତ୍ରିନାଥଙ୍କ ଘରେ ଚଢାଉ କରିବା ପରେ ୧୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତେବେ ଏନେଇ ଭିଜିଲାନ୍ସ ଏସପି ପ୍ରେସମିଟରେ ସମସ୍ତ ସୂଚନା ଦେବେ । ତ୍ରିନାଥ ମିଶ୍ରଙ୍କ ରସୁଲଗଡ ମନୋରମା ଇଷ୍ଟେଟରୁ ଜବତ ହୋଇଥିବା ଟଙ୍କା, କାଗଜପତ୍ରକୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ।

ଏହା ସହିତ କଟକ, ଭୁବନେଶ୍ୱର, ଯାଜପୁର ଓ କୋରାପୁଟର ମୋଟ୍ ୧୫ଟି ଜାଗାରେ ରେଡ୍ ହୋଇଥିଲା । ନବରଙ୍ଗପୁର ଡାବୁଗାଁସ୍ଥିତ ପୈତୃକ ଘର, ଯାଜପୁର ବଡଚଣାସ୍ଥିତ ଶ୍ବଶୁର ଘର, ଯାଜପୁର ବଡଚଣାସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲ ବଜାର ଧାନମଣ୍ଡଳସ୍ଥିତ ଶାନ୍ତିଲତା କେୟାର୍ ଆଣ୍ଡ ନର୍ସିଂ ହୋମ୍ ସହ ମେଡିସିନ୍ ଦୋକାନ, ଚଣ୍ଡିଖୋଲସ୍ଥିତ ଶାନ୍ତିଲତା ଟ୍ରାନ୍ସପୋର୍ଟ, ଚଣ୍ଡିଖୋଲ ଧାନମଣ୍ଡଳରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମକ ଅନ୍ୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥା, ଜଗତସିଂହପୁର ବିରିଡିରେ ଥିବା ଡ୍ରାଇଭରଙ୍କ ଘର, କଟକ ମହାନଦୀ ବିହାରରେ ଦୁଇ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ନାଁରେ ମେଡିସିନ୍ କମ୍ପାନୀ, କଟକ ତୁଳସୀପୁରସ୍ଥିତ ଅଫିସ, କଟକ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ଚଢାଉ ହୋଇଥିଲା । ଚଢ଼ାଉ ସମୟରେ ନଗଦ ସାଢ଼େ ତିନି ଲକ୍ଷ ଟଙ୍କା ଟଙ୍କା ବି ଜବତ ହୋଇଛି । କଟକ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ୱାରେଣ୍ଟ ବଳରେ ଏହି ଚଢାଉ କରାଯାଇଥିଲା ।
ତ୍ରିନାଥ ମିଶ୍ର କଟକ ଜିଲ୍ଲାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ପୁଣି କଟକ ଜିଲ୍ଲାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ପଦୋନ୍ନତି ପାଇ ଏସିପି ଭାବେ କଟକ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ବେଳେ ପୁଣି ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭାବେ ଦିର୍ଘ ଦିନ କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର ଅତିରିକ୍ତ ଏସ୍ପି କମୁନିକେସନ ଭାବେ ବଦଳି ହୋଇଥିଲା । ତ୍ରିନାଥ ମିଶ୍ର ଦୀର୍ଘ ବର୍ଷ କଟକ ଜିଲ୍ଲା ଓ କମିଶନରେଟ ପୋଲିସରେ କାର୍ଯ୍ୟ କରିଥିଲେ । ତେବେ ସରକାରୀ ଚାକିରୀଆ ହୋଇଥିଲେ ବି ସେଲିବ୍ରିଟିଙ୍କ ଭଳି ଅୟସ ଆରାମରେ ଜୀବନ କାଟୁଥିଲେ ତ୍ରିନାଥ ମିଶ୍ର ।
ଭିଜିଲାନ୍ସ ଚଢ଼ାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ ସେ ଏହି ସମ୍ପତ୍ତିର ହିସାବ ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଚଢାଉରେ ୩ ଜଣ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୧୩ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।