ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆସନ୍ତା ଜନୁଆରୀ ୮ରୁ ତିନି ଧରି ଭୁବନେଶ୍ୱରରେ ପାଳନ କରାଯିବ। ପ୍ରାୟ ୭ହଜାର ଅତିଥି ଓ ପ୍ରତିନିଧି ଏଥିରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାବ୍ୟତୀତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମାନଜନକ ସମାରୋହ ଆମ ରାଜ୍ୟ ପାଇଁ ସ୍ମରଣୀୟ ରହିବ। ଏହାଦ୍ୱାରା ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ମିଳିବ। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନସ୍ଥିତ ସିବି ମୁଥାମା ହଲ୍ରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବ୍ସାଇଟ୍ (କ୍ଟ୍ରଭୟସଦ୍ଭୟସବ.ଶକ୍ଟଙ୍ଖ.ସଦ୍ଭ) ଉନ୍ମୋଚିତ ହୋଇଯାଇଛି। ଏହାକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ୍ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ ବିଦେଶରେ ଥିବା ଭାରତୀୟ ବିଦେଶୀମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି। ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ଭବ୍ୟ ସମାରୋହ ରାଜଧାନୀର ଜନତା ମଇଦାନରେ ଜାନୁଆରୀ ୮ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ। ୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’। ଦେଶର ଯୁବପିଢ଼ିଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ମୂଳ ଲକ୍ଷ୍ୟ ରଖାଯାଇଛି। ସମାରୋହ ପାଇଁ ବୈଦେଶିକ ମନ୍ତ୍ରଣାଳୟର ପ୍ରସ୍ତାବରେ ଓଡ଼ିଶା ସରକାର ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀର ପିତା ମହାତ୍ମା ଗାନ୍ଧୀ ୧୯୧୫ ଜାନୁଆରୀ ୯ରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆଗମନ କରିଥିଲେ। ଏହାକୁ ସ୍ମରଣ କରିବା ନିମନ୍ତେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଦେଶର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ ପାଇଁ ଭାରତ ୨୦୦୩ରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରିଆସୁଛି। ୨୦୨୩ରେ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଇନ୍ଦୋରରେ ଶେଷ ପ୍ରଭାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା। ଏଥର ଓଡ଼ିଶାର ଭାଗ ପଡ଼ିଛି। ଏହି ସମ୍ମିଳନୀ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ମିଳନୀ ଭୁବନେଶ୍ୱରର କେଉଁଠି କରାଯିବ, ଅତିଥିମାନେ କେଉଁ କେଉଁ ସ୍ଥାନରେ ଅବସ୍ଥାନ କରିବେ, ସେମାନଙ୍କର ସୁରକ୍ଷା, ଯାତାୟତ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହି ସମ୍ମିଳନୀ ଯେଭଳି ସଫଳତା ଲାଭ କରିବ ତାହା ସରକାର ଦେଖିବେ। ସମାରୋହ ପ୍ରସ୍ତୁତି ସଂପର୍କରେ ପୂର୍ବରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବାରମ୍ବାର ସମୀକ୍ଷା କରିଛନ୍ତି। ତେଣୁ ଆମେ ଏଭଳି ଏକ ମହୋତ୍ସବ ସଫଳତାର ସହ ଆୟୋଜନ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।