ସ୍କୁଲ ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ

ଭୋଗରାଇ: ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ଏକ ଚାଉଳ ଗୋଦାମକୁ ବିକ୍ରି ପାଇଁ ଅଣା ଯାଇଥିଲା। ବଜାରରେ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ। ସ୍ଥାନୀୟ ଲୋକେ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଯୋଗାଣ ଅଧିକାରୀ ପହଞ୍ଚି ଚାଉଳ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଖବର ଅନୁସାରେ, ଆଜି ସକାଳେ ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟରୁ ୬ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଚୌକି ବଜାର ନିକଟରେ ଥିବା ଏକ ଚାଉଳ ଗୋଦାମକୁ ବିକ୍ରି ପାଇଁ ଅଣା ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ସନ୍ଦେହ କରି ପଚରାଉଚରା କରିଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ହେଉଥିବା ଜଣାପଡ଼ିଥିଲା। ଲୋକମାନେ ଭୋଗରାଇ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଏନେଇ ଖବର ପାଇ ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ପହଞ୍ଚି ୬ବସ୍ତା ଚାଉଳକୁ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଲାଗି ରହିଥିଲା। ପିଲାଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି ହେଉଥିବା ଘଟଣାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।