ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘନକୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନକୁହୁଡ଼ି ଦେଖାଯିବ।
ଗତ ୫ଦିନ ହେଲା ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଏମିତିକା ପାଗ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହାଛଡ଼ା ସକାଳେ ଘନ କୁହୁଡି କଲବଲ କରିବ। ଘନ କୁହୁଡି ଆଗମୀ ଦୁଇ ଦିନ ଧରି ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସେହିପରି ଜାନୁଆରି ୨୫ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ ଜିଲ୍ଲାରେ କୁହୁଡ଼ି ଦେଖାଯିବ। ଘନକୁହୁଡ଼ିର ଭିଜିବିଲିଟି ୫୦ରୁ ୨୦୦ ମିଟର ରହିବ।