ଭୁବନେଶ୍ବର: ଓଡ଼ିଶାରେ ଶୀତ ଅନୁଭବ ହେବା ଆରମ୍ଭ ହୋଇଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଥିବା ବେଳେ ଉପକୂଳରୁ ଉପାନ୍ତ ସବୁଠି ଶୀତର ପ୍ରଭାବ ରହିଛି। ବିଳମ୍ବରେ ହେଲେ ମଧ୍ୟ ଚଳିତ ବର୍ଷ ଥଣ୍ଡାର ପ୍ରକୋପ ଅନୁଭୁତ ହେବାରେ ଲାଗିଛି। ଓଡ଼ିଶାର ସମସ୍ତ ଜିଲ୍ଲା ମଧ୍ୟରୁ କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ରବିବାର ଫୁଲବାଣୀ ସହର ତାପମାତ୍ରା ୧୧ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ି ତାପମାତ୍ରା ୧୨ ଡିଗ୍ରୀ ଓ ଜି.ଉଦୟଗିରିରେ ୭.୦୮ ଡିଗ୍ରୀ ରହିଛି। ତିନିଦିନ ପୂର୍ବରୁ ଜି. ଉଦୟଗିରିରେ ତାପମାତ୍ରା ୧୭ ଡିଗ୍ରୀ ଥିବା ବେଳେ ରବିବାର ହଠାତ ୭.୦୮ ଡିଗ୍ରୀକୁ ଖସି ଆସିଛି ପାରଦ। ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି। ଜି.ଉଦୟଗିରି ସହରର ତାପମାତ୍ରା ଆଜି ୭.୦୮ ଡିଗ୍ରୀ ଥିବା ବେଳେ ଆଭ୍ୟନ୍ତରୀଣ ପାହାଡ଼ ପର୍ବତ ଘେରା ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି ୧ ଡିଗ୍ରୀ କମ୍ ରହୁଥିବା ସୂଚନା ମିଳିଛି। ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି। ସକାଳ ୯ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହେଉଥିବା ବେଳେ ରାତି ୮ଟା ପରେ ବଜାର ଗହଳି କମିଯାଉଛି। ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ସହର ଜନଶୂନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଛି। ରାତି ବଢ଼ିଲେ କୁହୁଡ଼ି ଆରମ୍ଭ ହେବା ସହ ଶୀତ ବଢୁଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।