ପୁରୁଷ ହକି ବିଶ୍ବକପ ୨୦୨୩: ପୁଲ୍‌ ଡିରେ ଭାରତ

ଭୁବନେଶ୍ବର: ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘର ପ୍ରସ୍ତୁତି ଆରମ୍ଭ । ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ପୁଲ୍‌ ଘୋଷଣା ହୋଇଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ ଡିରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ଉପସ୍ଥିତିରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଛନ୍ତି । ପୁଲ୍‌ ଡିରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ଭାରତ ସହ ପୁଲ୍‌  ଡିରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍‌ରେ ଥିବା କୁହାଯାଉଛି । ଫଳରେ କ୍ବାର୍ଟରଫାଇନାଲ ପର୍ୟ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଏଫଆଇଏଚ ଅଧିକାରୀ, ହକି ଇଣ୍ଡିଆ ଅଧିକାରୀ, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣୀ ଉପସ୍ଥିତ ରହିଥିଲେ ।