ଦାୟିତ୍ୱ ଗ୍ରହଣକଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ

ଭୁବନେଶ୍ୱର: ନୂତନ ଭାବେ ମନୋନୀତ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଭୁବନେଶ୍ୱରର ପୂର୍ବତନ ସାଂସଦ ଡଃ. ପ୍ରସନ୍ନ ପାଟ୍ଟଶାଣୀ ଏବଂ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସଚିବାଳୟରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଭେଟି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ପାଟ୍ଟଶାଣୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି; ତାହାକୁ ସେ ପୂରଣ କରିବା ପାଇଁ ନିଜର ଶେଷ୍ଠ ଉଦ୍ୟମ ଦେବେ । ରାଜ୍ୟ ଯୋଜନା ବୋର୍ଡର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ତାଙ୍କର ପ୍ରାଥମିକତା ହେବ । ଇତିମଧ୍ୟରେ ଡକ୍ଟର ପାଟ୍ଟଶାଣୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଛନ୍ତି । ପାଟ୍ଟଶାଣୀଙ୍କ ନିଯୁକ୍ତିକୁ ବିଭିନ୍ନମହଲରେ ସ୍ୱାଗତ କର।।ଯାଇଛି । ବିଧାୟକ, ମନ୍ତ୍ରୀ ଓ ସାଂସଦ ଭାବରେ ତାଙ୍କର ରହିଥିବା ପୂର୍ବ ଅଭିଜ୍ଞତା ରାଜ୍ୟର ଯୋଜନାର ଗତିକୁ ଦ୍ରୁତକରିବ ବୋଲି ଅନେକ ଆଶାପୋଷଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୯ତାରିଖରେ ଡଃ. ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ସରକାର ଉଭୟଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ଏହା ସହିତ ପୂର୍ବତନ ବିଧାୟକ ସାଧୁ ନେପାକଙ୍କୁ ମଧ୍ୟ ସରକାର ଯୋଜନାବୋର୍ଡର ସଦସ୍ୟ ଭାବେ ମନୋନୀତ କରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି ।