ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ମେଲୋନୀ

ରୋମ୍‌: ଦକ୍ଷିଣପନ୍ଥୀ ନେତା ଜିଓର୍ଜିଆ ମେଲୋନୀ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହା ସହିତ ଦେଶରେ ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟିର ନୂଆ ସରକାର ଗଠିତ ହୋଇଛି । ୪୫ ବର୍ଷୀୟା ଜିଓର୍ଜିଆ ଏବଂ ତାଙ୍କ କ୍ୟାବିନେଟ୍ ଶନିବାର ଶପଥ ନେଇଛନ୍ତି । ଚାରିବର୍ଷ ପୂର୍ବରେ ମାତ୍ର ୪.୧୩ ପ୍ରତିଶତ ଭୋଟ୍ ପାଇଥିବା ମେଲୋନୀଙ୍କ ପାର୍ଟିକୁ ଚଳିତ ନିର୍ବାଚନରେ ୨୬ ପ୍ରତିଶତ ଭୋଟ୍ ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପାରେ ଇଟାଲୀର ପ୍ରଧାନମନ୍ତ୍ରୀ ପଦରେ କୌଣସି ଦକ୍ଷିଣପନ୍ଥୀ ନେତା ଅବସ୍ଥାପିତ ହେବା ଏହା ପ୍ରଥମ ଘଟଣା । ମେଲୋନୀଙ୍କ ପାର୍ଟି ଇଟାଲୀର ପୂର୍ବତନ ଏକଛତ୍ରବାଦୀ ଶାସକ ବେନିଟୋ ମୁସୋଲିନୀଙ୍କ ଦୃଢ଼ ସମର୍ଥକ । ପ୍ରବାସୀଙ୍କୁ ଦେଶରେ ଶରଣ ନଦେବା ଏବଂ ସମଲିଙ୍ଗୀଙ୍କୁ ବିରୋଧ ସହ ଅଧିକାର ନବୋ ମେଲୋନୀଙ୍କ ପ୍ରମୁଖ ନିର୍ବାଚନ ଏଜେଣ୍ଡା ଥିଲା । ୧୯୭୭ ଜାନୁଆରୀ ୧୫ ତାରିଖରେ ରୋମ୍‌ରେ ଜନ୍ମିତ ମେଲୋନୀ ୧୫ ବର୍ଷ ବୟସରେ ଦକ୍ଷିଣପନ୍ଥୀ ଆନ୍ଦୋଳନ ଇଟାଲିଆନ୍ ସୋସିଆଲ୍ ମୁଭ୍‌ମେଣ୍ଟ୍‌ରେ ଯୋଗଦେଇ ଏହାର ୟୁଥ୍ ୱିଙ୍ଗ୍‌ରେ କାମ କରିଥିଲେ । ଇଂରାଜୀ, ସ୍ପାନିସ୍ ଓ ଫ୍ରେଞ୍ଚ୍ ଭାଷାରେ ନିପୁଣା ଜିଓର୍ଜିଆ ମୋଲୋନୀ ୨୦୦୬ରେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ । ସୂଚନାଯୋଗ୍ୟ, ୨୦୨୨ ଜୁଲାଇ ୨୧ ତାରିଖରେ ମାରିୟୋ ଦ୍ରାଗୀଙ୍କ ପାଞ୍ଚଦଳିଆ ସରକାରର ପତନ ଘଟିବା ପରେ ଇଟାଲିରେ ଏହି ନିର୍ବାଚନ ହୋଇଥିଲା । ଆସନ୍ତା ସପ୍ତାହରେ ମୋଲୋନୀ ସଂସଦରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ ।