ସମୁଦ୍ର ଉପକୂଳରେ ମାଛଧରା ନିଷେଧାଜ୍ଞା ଜାରି ସଂପର୍କିତ ବୈଠକ

ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରିକରି ବିଭିନ୍ନ ପ୍ରଜାତିର ମାଛସଂଖ୍ୟାରେ ବୃଦ୍ଧି ଆଣିବା ପାଇଁ ଓଡ଼ିଶା ଉପକୂଳରେ ମାଛଧରା ନିଷେଧାଜ୍ଞା ପ୍ରତିବର୍ଷ ଅପ୍ରେଲ ୧୫ ତାରିଖରୁ ଜୁନ ୧୪ ତାରିଖ, ୬୧ ଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ପରିପ୍ରେକ୍ଷୀରେ ଏକ ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ହୋଇଯାଇଛି । କୃଷିଭବନଠାରେ ଆୟୋଜିତ ବୈଠକରେ ବିଭିନ୍ନ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ମାଛଧରା ନିଷେଧାଜ୍ଞାର ବିଭିନ୍ନ ଦିଗ ସଂପର୍କରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ସମୁଦ୍ରରେ ବିଭିନ୍ନ ପ୍ରଜାତିର ମାଛ ସଂରକ୍ଷଣ ଓ ଏହାର ବଂଶବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ, ଯେପରି ଦୀର୍ଘ ସମୟ ଧରି ସମୁଦ୍ରରେ ମାଛ ଧରିବା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ।
ବୈଠକରେ ସଂଘର ପ୍ରତିନିଧିମାନେ ଯନ୍ତ୍ରଚାଳିତ ମାଛଧାରା ଡଙ୍ଗା ଉପରେ କଟକଣା ଜାରି କରିବା ପାଇଁ କହିଥିବାବେଳେ ପାରମ୍ପରିକ ଡଙ୍ଗାରେ ଯେଉଁମାନେ ସମୁଦ୍ରରେ ମାଛ ଧରୁଛନ୍ତି ସେମାନଙ୍କୁ ଏଥିରୁ ଛାଡ଼ କରିବା ପାଇଁ କହିଥିଲେ । ଏଥି ସହିତ ନିଷେଧାଜ୍ଞା ସମୟରେ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କହିଥିଲେ । ଓଡ଼ିଶା ଉପକୂଳରେ ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାମାନେ
ବେଆଇନ ଭାବେ ମାଛଧରିବାକୁ ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସାମୁଦି୍ରକ ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା । କଳକାରଖାନାର ବର୍ଜ୍ୟବସ୍ତୁ ସମୁଦ୍ରରେ ଛାଡ଼ିବା ଦ୍ୱାରା ମାଛମାନେ ବହୁଳ ଭାବେ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଖିଲାପୀ ଶିଳ୍ପ ଏବଂ କାରଖାନାଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମାଛଧରା ଜାଲର ମେସ୍‌
ସାଇଜ୍‌ରେ ଆବଶ୍ୟକ ପରିବର୍ତ୍ତନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।