ପ୍ରତାପ ଦେବଙ୍କ ଘରେ ବିଜେଡି ନେତାଙ୍କ ବୈଠକ

ଭୁବନେଶ୍ୱର: ଚଳିତ  ନିର୍ବାଚନରେ ମାତ ଖାଇଛି ବିଜେଡି । ଦୀର୍ଘ ବର୍ଷର ଶାସନରେ ଜନତା ପକାଇଛନ୍ତି ପୂର୍ଣ୍ଣଛେଦ । ବିଜେଡି ବଦଳରେ ଭୋଟର ବିଜେପିକୁ ଭରସିଛନ୍ତି । ଫଳରେ ବିଜେଡି ଠାରୁ ଶାସନ ଡୋରି ଛଡ଼ାଇ ନେଇଛି ବିଜେପି । ଅଦ୍ୟାବଧି ବିଜେଡି ପରାଜୟର କାରଣ ଖୋଜୁଛି । ଏନେଇ ନିର୍ବାଚନ ପରଠାରୁ ବିଜେଡି ପରାଜୟ କାରଣ ଜାଣିବା ତଥା  ଆଗକୁ ରଣନୀତି କ’ଣ ହେବ ସେନେଇ ଘନ ଘନ ବୈଠକ କରୁଛି । ଏହି କ୍ରମରେ ଆଜି ବିଧାୟକ ପ୍ରତାପ ଦେବଙ୍କ ଘରେ ବିଜେଡି ନେତାଙ୍କ ବୈଠକ ବସିଛି । ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତଙ୍କ ସମେତ କିଛି କର୍ପୋରଟେର ମଧ୍ୟ ସାମିଲ ଥିବା ଜଣାଯାଇଛି । ତେବେ ଦିନକୁ ଦିନ ବିଜେଡିରେ ଅନ୍ତଃକନ୍ଦଳ ବଢୁଥିବାବେଳେ ଏଭଳି ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଅନ୍ୟପକ୍ଷରେ ବୈଠକରୁ ବାହାରିବା ପରେ କର୍ପୋରେଟର ଅମରେଶ ଜେନା କହିଛନ୍ତି ଯେ କିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଦଳରେ ବିଭୀଷଣ ଅଛନ୍ତି । କିନ୍ତୁ ସବୁଠି ବିଜେଡି ଏକଜୁଟ ଅଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ବିଷୟରେ ଜାଣିଛନ୍ତି । ଆଗକୁ ଏମିତି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ବିଜେଡିରେ ବିଭୀଷଣ କିଏ ବୋଲି ଆଲୋଚନା ଓ ଚର୍ଚ୍ଚା ଜୋର ଧରିଛି ।