ଜିଲ୍ଲା ସଭାପତି ପଦରୁ ହଟିଲେ ମିନାକ୍ଷୀ

କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟିର ମଧ୍ୟ ପୁନର୍ଗଠନ କରାଯାଇଛି |

ତେବେ ସବୁଠାରୁ ଚର୍ଚିତ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ନାମ ହଟାଯାଇ ଦୁର୍ଗାଶଙ୍କର ସାହୁଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ୱ ଦିଆଯାଇଛି | ସୂଚନାଯୋଗ୍ୟ ଯେ, ନିକଟରେ ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ହଟାଇ ରାଜ୍ୟ କମିଟିରେ ସ୍ଥାନ ଦିଆଯାଇଥିଲା | ହେଲେ ଏହାକୁ ବିରୋଧ କରି କିଛିଦିନ ତଳେ କଂଗ୍ରେସ ଭବନରେ ତାରା ଶକ୍ତି ପ୍ରଦର୍ଶନ କରିଥିଲେ । କୋରାପୁଟ କଂଗ୍ରେସର ଶତାଧିକ ଦଳୀୟ ନେତା ଓ କର୍ମୀଙ୍କୁ ଗହଣରେ ଯାଇ ଶକ୍ତି ପ୍ରଦର୍ଶନ କରିଥିଲେ ବିଧାୟକ ତାରା ବାହିନୀପତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ପୁର୍ନବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ସେ ଦାବି କରିଥିଲେ । ତେବେ ଅନେକ ଦିନ ଧରି କୋରାପୁଟ ଜିଲ୍ଲା ସଭାପତି ପଦରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଦାୟିତ୍ୱ ତୁଲାଇଆସୁଥିଲେ । ଆଉ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେ ସାଂସଦ ସପ୍ତଗିରୀ ଉଲାକାଙ୍କ ଗୋଷ୍ଠୀ ତାଙ୍କୁ ବଦଳାଇବାକୁ ଦିଲ୍ଲୀରେ ଲବି କରୁଛନ୍ତି । ମୀନାକ୍ଷୀଙ୍କ ସ୍ଥାନରେ ଉଲ୍ଲାକାଙ୍କ ସମର୍ଥକଙ୍କୁ କୋରାପୁଟ ଜିଲ୍ଲାର ସଭାପତି କରିବାକୁ ସାଂସଦ ଉଦ୍ୟମ ଚଳାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ଆଜି ମିନାକ୍ଷୀଙ୍କ ବଦଳରେ ଦୁର୍ଗାଙ୍କୁ ଦାୟିତ୍ୱ ମିଳିଛି |

ସେହିପରି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପଞ୍ଚାନନ କାନୁନଗୋ, କାର୍ଯ୍ୟକ୍ରମ କ୍ରିୟାନ୍ୱୟନ କମିଟି ଅଧ୍ୟକ୍ଷ ହେଲେ ଯଜ୍ଞେଶ୍ୱର ବାବୁ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀଙ୍କୁ ଦାୟିତ୍ୱ ମିଳିଛି| ସେହିପରି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାଇତ୍ୱ ମିଳିଛି | ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଶୃଙ୍ଖଳା କମିଟି ଗଠନ ହୋଇଛି | ଜାନକୀ ବଲ୍ଲଭ ପଟ୍ଟନାୟକ କମିଟିର ଆବାହକ ଥିବାବେଳେ କମିଟିରେ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ,ଦେବେନ୍ଦ୍ର ସାହୁ ଏବଂ ପ୍ରତିମା ମଲ୍ଲିକ ସଦସ୍ୟ ରହିଛନ୍ତି |