ମିଡ଼ିଆ ମହାକୁମ୍ଭ ‘ନ୍ୟାସନାଲ ମିଡ଼ିଆ କନ୍‌କ୍ଲେଭ’ ଉଦଘାଟିତ

ଭୁବନେଶ୍ୱର:୨୧-୧୧-(ପି.ଏନ.ଏ) ଆମର ଦୈନଦିନ ଜୀବନର ସାଂସ୍କୃତିକ ଅଭ୍ୟାସ ବିସ୍ତାର କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମ ସଂସ୍କୃତିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ଆମର ପସନ୍ଦକୁ ବ୍ୟାପକ କରିଛି। ଗଣମାଧ୍ୟମ ସୂଚନା ପ୍ରବାହ ସହିତ ସାଂସ୍କୃତିକ ଅଭିବ୍ୟକ୍ତି ବୃଦ୍ଧି କରିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ଆଜି ଷଷ୍ଠ ଜାତୀୟ ମିଡ଼ିଆ ସମ୍ମେଳନକୁ ଉଦଘାଟନ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି।

କିଟ ବିଶ୍ବବିଦ୍ୟାଳୟ ପ୍ରେଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଛନ୍ତି ଯେ ସାଂସ୍କୃତିକ ମୂଲ୍ୟବୋଧ ମଧ୍ୟ ଗଣମାଧ୍ୟମର ବାର୍ତ୍ତା ତିଆରି କରେ। ଲୋକମାନେ ଗଣମାଧ୍ୟମ ମାଧ୍ୟମରେ ସାଂସ୍କୃତିକ ପରିଚୟ ସୃଷ୍ଟି ଏବଂ ଏହାର ପ୍ରଚାର ଓ ପ୍ରସାର କରିଥାନ୍ତି ବୋଲି କୁଳପତି କହିଛନ୍ତି।

ଚଳିତ ବର୍ଷର ବିଷୟବସ୍ତୁ ‘ଗଣମଧ୍ୟମ ଓ ସଂସ୍କୃତି’ ଉପସ୍ଥାପନ କରି ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶଦାତା ଏସ.ସି ବର୍ମା କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ସାଂସ୍କୃତିକ ଐତିହକୁ ସାରା ବିଶ୍ୱରେ ପ୍ରଚାର କରିବା ସହିତ ଏହାର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଂସ୍କୃତିକ ଯୋଗାଯୋଗ ପାଇଁ ସ୍ୱାଧୀନ ଗଣମାଧ୍ୟମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ସେ କହିଛନ୍ତି। ମଣିପାଲ୍ ସ୍କୁଲ ଅଫ୍ କମ୍ୟୁନିକେସନର ପ୍ରଫେସର ବି.ପି. ସଞ୍ଜୟ ଓ କନ୍ସୋର୍ଟିୟମ୍ ଫର୍ ଏଜୁକେସନାଲ୍ କମ୍ୟୁନିକେସନ୍ (ସିଇସି)ର ଅତିରିକ୍ତ ନିର୍ଦ୍ଦେଶକ ରଜନୀଶ ଶ୍ରୀବାସ୍ତବ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ୍ ସଂସ୍କୃତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ବିପ୍ଳବ ଲୋହ ଚୌଧୁରୀ, ଆନ୍ନା ବିଶ୍ୱବିଦ୍ୟାଳୟର ଡକ୍ଟର ଆଇ. ଅରୁଲ ଆରାମ ଏବଂ ସହକାରୀ ପ୍ରଫେସର ଡକ୍ଟର ଅମୃତା ଚକ୍ରବର୍ତ୍ତୀ ସାଂସ୍କୃତିକ ବହୁଳତା ଓ ବିଭିଦତା ଉପରେ ବିତର୍କ କରିଥିଲେ।
ସୋସିଆଲ ମିଡିଆ, ଦକ୍ଷ ଭାରତ, ସଶକ୍ତିକରଣ ଏବଂ ଡିଜିଟାଲ ସଂସ୍କୃତି ଉପରେ ଦ୍ୱିତୀୟ ଅଧିବେଶନରେ ପୂର୍ବତନ ୟୁଜିସି ପ୍ରଫେସର ତଥା ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଭିଏଲ ଧାରୁକର, ୱକ୍ସସେନ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ତଥା ସ୍କୁଲ୍ ଅଫ୍ ଲିବରାଲ୍ ଆର୍ଟ ଆଣ୍ଡ ହ୍ୟୁମାନିଟିଜର କାର୍ୟ୍ୟକାରୀ ଡିନ ସତ୍ୟ ପ୍ରସାଦ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସଆର)ର ଉପ ନିର୍ଦେଶକ ଡକ୍ଟର ରିଚା ଶର୍ମା, ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ର କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର ଏବଂ ଆମିଟି ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ରୋମିକା ଭଟ୍ଟ ତାଙ୍କର ବହୁ ମୂଲ୍ୟ ମତାମତ ରଖିଥିଲେ।

ଏହି ତିନିଦିନିଆ କନକ୍ଳେଭ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍), ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ କନ୍ସୋର୍ଟିୟମ୍ ଫର୍ ଏଜୁକେସନାଲ୍ କମ୍ୟୁନିକେସନ୍ (ସିଇସି)ର ମିଳିତ ସହଯୋଗରେ ଆୟୋଜିତ ହେଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଆସନ୍ତାକାଲି ପାଞ୍ଚଟି ସମାନ୍ତରାଳ ଅଧିବେଶନ ଅନୁଷ୍ଠିତ ହେବ ଏବଂ ଏଥିରେ ୮୦ରୁ ଉର୍ଦ୍ଧ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହେବାର କାର୍ୟ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।