କଟକ: ରାଜ୍ୟରେ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୨ ତାରିଖ ସୁଦ୍ଧା ସମସ୍ତ ବିଷୟର ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ବୋର୍ଡ ସୂଚନା ଅନୁଯାୟୀ, OMR ସିଟ୍ଗୁଡ଼ିକର ମୂଲ୍ୟାୟନ ପ୍ରକ୍ରିୟା ପୂର୍ବରୁ ହିଁ ଶେଷ ହୋଇସାରିଛି। ଏପରିକି ଏହାର ମାର୍କ ଅପଲୋଡ଼ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ କେବଳ ସବଜେକ୍ଟିଭ୍ (Subjective) ବା ବର୍ଣ୍ଣନାମୂଳକ ପ୍ରଶ୍ନପତ୍ରର ଖାତା ଦେଖା ଚାଲିଛି। ଏହି ପ୍ରକ୍ରିୟା ସରିବା ମାତ୍ରେ ରେଜଲ୍ଟ ପ୍ରକାଶ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟ ଜାରି ରହିଛି। ଏଥିରେ ୧୨ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ଅଛନ୍ତି। ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ତ୍ରୁଟି ନକରି ସଠିକ୍ ଭାବେ ମୂଲ୍ୟାୟନ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ଶିକ୍ଷକଙ୍କୁ କଡ଼ା ପରାମର୍ଶ ଦିଆଯାଇଛି।