ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ,୨୯ ରୁ ରିଚେକିଂ

କଟକ: ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନ ୧୦.୩୦ ରେ ମାଟ୍ରିକ ଫଳ ବାହାରିଛି I ଦିନ ୧୧ଟା ୩୦ ସୁଦ୍ଧା ୱେସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଯାଇ ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ ।

ଚଳିତବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଖୋର୍ଦ୍ଧାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ ରହିଛି। ଏଥର ମଧ୍ୟ ବାଜି ମାରିନେଇଛନ୍ତି ଛାତ୍ରୀମାନେ I ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୯୬.୩୯ ପ୍ରତିଶତ ରହିଛି। ଗତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧି ରହିଥିଲା। ଗତ ବର୍ଷ ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୭୫% ରହିଥିଲା।

ତେବେ ଆସନ୍ତା ୨୯ ତାରିଖରୁ ଛାତ୍ରଛାତ୍ରୀମାନେ ରିଚେକିଂ କରିପାରିବେ। ୨୯ରୁ ଜୁନ୍ ୧୨ ତାରିଖ ଯାଏଁ ରିଚେକିଂ ପାଇଁ ଆବେଦନ କରିହେବ। ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏ ନେଇ ବୋର୍ଡ ଉପସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।

ସେହିପରି କଟକରେ ୯୭.୫୮, ଜଗତସିଂହପୁରରେ ୯୭.୬୦ ପ୍ରତିଶତ, କେନ୍ଦ୍ରାପଡା ୯୫.୭୭, ଯାଜପୁରରେ ୯୫.୯୨ ପ୍ରତିଶତ, ଢେଙ୍କାନାଳ ୯୫.୧୨, ପୁରୀରେ ୯୬.୭୬ , ନୟାଗଡ ୯୬.୨୩, ବାଲେଶ୍ଵର ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮ ପ୍ରତିଶତ ପାସ୍ ହାର ରହିଛି। ଚଳିତବର୍ଷ ନୂଆପଡାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍‌ହାର ରହିଛି।