ଆଜି ଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଖାତା ୫୬ଟି କେନ୍ଦ୍ରରେ ମୂଲ୍ୟାୟନ କରାଯିବ । ଏହି ଖାତା ଦେଖା ଆସନ୍ତା ୧୫ ତାରିଖ ଯାଏଁ ଚାଲୁ ରହିବ । ଏଥିପାଇଁ ଖାତା ଦେଖା କେନ୍ଦ୍ରଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ । ତେବେ ପ୍ରାୟ ସାଢେ ୫ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖା ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ତେବେ ଖାତାଦେଖା କାମ ୧୦ରୁ ୧୨ ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାସହିତ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ସେହିପରି ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ସ୍ଵତନ୍ତ୍ର ଏସଓପି ଜାରି ହୋଇଛି । ନିରୀକ୍ଷକମାନେ ସେହି ଅନୁସାରେ ତ୍ରୁଟିପୂର୍ଣ୍ଣ ଭାବେ ଯେପରି ମୂଲ୍ୟାୟନ କରାଯାଇ ପାରିବ ସେନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଆଲୋଚନା କରାଯିବ । ଚଳିତ ବର୍ଷ ୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।
ଅନ୍ୟପକ୍ଷରେ ଶନିବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପାଠ୍ୟ ପୁସ୍ତକ ବାହାର ରାଜ୍ୟକୁ ବିତରଣ କରାଯାଇଛି । ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଡାଏରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ କରାଯାଇଛି । ଏଥିନେଇ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଥିଲା । ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୁସ୍ତକଗୁଡ଼ିକୁ ଗୁଜରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଇତ୍ୟାଦି ରାଜ୍ୟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ରାଜ୍ୟ ଭିତରର ଜିଲ୍ଲା ଗୁଡ଼ିକୁ ଅଢେଇ କୋଟିରୁ ଉର୍ଦ୍ଧ୍ୱ ପୋଷ୍ଟର ପଠାଯାଇଥିଲା । ଆସନ୍ତା ୩ ତାରିଖରୁ ନୂଆ ସେସନ ପାଠପଢା ଆରମ୍ଭ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ପୁସ୍ତକ ପଠାଯିବାର ବ୍ୟବସ୍ଥା କରାଯାଇଛି ।